ପେଟ୍ରୋଲ, ଡିଜେଲ ପରେ ସିଏନ୍ଜି ଦର ବଢ଼ିଲା ଦୁଇ ଟଙ୍କା

କନକ ବ୍ୟୁରୋ: ପୋଟ୍ରୋଲ, ଡିଜେଲ ପରେ ଏବେ ମହଙ୍ଗା ହେଲା ସିଏନଜି। କିଲୋ ପିଛା ଏକାଥରକେ ୨ଟଙ୍କା ବଢ଼ିଛି। ଏହାକୁ ନେଇ ଚିନ୍ତାରେ ଗ୍ରାହକ। ତେଲ ସଂକଟ ପରେ ପେଟ୍ରୋଲ ଓ ଡିଜେଲ ପାଇଁ ପମ୍ପରେ ଲାଇନ ଲଗାଇ ହନ୍ତସନ୍ତ ହୋଇଥିଲେ ଗ୍ରାହକ। ଏହାରି ଭିତରେ ପେଟ୍ରୋଲ ଓ ଡିଜେଲର ଦାମ ୩ଟଙ୍କା ବଢ଼ିଲା। ଏହାକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ସିଏନଜି ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି।
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦର ବଢ଼ିଛି। ଫଳରେ ତୈଳ କମ୍ପାନୀ ଦର ବୃଦ୍ଧି କରିଛନ୍ତି। ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ୁଛି। ପ୍ରଥମେ ରନ୍ଧନ ଗ୍ୟାସ ଦର ବୃଦ୍ଧି ହୋଇଥିଲା। ଏକାଥରକେ ଘରୋଇ ସିଲିଣ୍ଡରେ ୬୦ଟଙ୍କା ବୃଦ୍ଧି ପାଇଥିଲା। ଏହାପରେ କମର୍ସିଆଲ ସିଲିଣ୍ଡର ଦର ମଧ୍ୟ ବୃଦ୍ଧି ପାଇଥିଲା। ଏବେ ପେଟ୍ରୋଲ, ଡିଜେଲ ଓ ସିଏନଜିର ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି। ସିଏନଜି ଦର ବୃଦ୍ଧି ଯୋଗୁ ଅଟୋ ଚାଳକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସେମାନଙ୍କ କହିବା କଥା ସିଏନଜି ଦର ବଢ଼ିଲା, ହେଲେ ଭଡ଼ା ବଢ଼ାଇ ହେଉନାହିଁ। ଅଧିକ ଭଡ଼ା ଦାବି କଲେ ଯାତ୍ରୀ ଆସିବେ ନାହିଁ। ଫଳରେ କ୍ଷତି ସହିବାକୁ ପଡ଼ିବ।
ସେପଟେ ପେଟ୍ରୋଲ ପମ୍ପରେ ସ୍ଥିତି ଧୀରେଧୀରେ ସ୍ବାଭାବିକ ହେଉଛି। ଏବେ ଗ୍ରାହକ ନାହାନ୍ତି, ତେଲ ଅଛି। ଲୋକମାନେ ଭୟଭୀତ ହୋଇ ତେଲ ପକାଇବାରୁ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହେଲା। ଓଡ଼ିଶାରେ ଆବଶ୍ୟକ ଅନୁଯାୟୀ ତେଲ ମହଜୁଦ ଅଛି। ପ୍ରତିଦିନ ଯେତିକି ତେଲ ବିକ୍ରି ହେଉଛି ତାଠୁ ଅଧିକ ତେଲ ପ୍ରତିଦିନ ଆସୁଛି। ଫଳରେ ଷ୍ଟକ କାମୁନାହିଁ। ୧୩ଦିନରୁ ୧୭ଦିନ ପର୍ଯ୍ୟନ୍ତ ଷ୍ଟକ ଆମ ପାଖେ ସବୁବେଳେ ରହୁଛି ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ମହାସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି। ଗ୍ରାହକଙ୍କୁ ମହଙ୍ଗା ମାଡ଼। ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ପରେ ଏବେ ମହଙ୍ଗା ସିଏନ୍ଜି। କେବେ ଗ୍ରାହକଙ୍କୁ ମିଳିବ ଆଶ୍ବସ୍ତି ତାକୁ ହିଁ ଅପେକ୍ଷା।
English 





























































































































































































































































































































































































































































































































































































































































































































































































































































































































