ଅଟକିଛି ଭଦ୍ରକ ସହରର ମାଷ୍ଟର ପ୍ଲାନ୍, ଶିଳାନ୍ୟାସକୁ ୫ ମାସ ପରେ ବି ବିଭାଗୀୟ ଅବହେଳାରୁ କାମ ବନ୍ଦ

କନକ ବ୍ୟୁରୋ : ଆରମ୍ଭରୁ ଅଟକିଛି ଭଦ୍ରକ ସହରର ମାଷ୍ଟର ପ୍ଲାନ ‘ଅଟଳ ମାର୍ଗ’। ପ୍ରକଳ୍ପର ଶିଳାନ୍ୟାସକୁ ୫ ମାସ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅବହେଳା ଓ ନିମ୍ନମାନର କାମ ଯୋଗୁଁ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି ୧୭ କୋଟି ଟଙ୍କାର ଏହି ଡ୍ରେନ୍ ଓ ରାସ୍ତା ନିର୍ମାଣ କାର୍ୟ୍ୟ। ରାସ୍ତା ସମ୍ପ୍ରସାରଣ ପାଇଁ ଶତାଧିକ ଦୋକାନ ଭଙ୍ଗାଯିବା ପରେ ଏବେ କାମ ଆଗେଇ ନପାରିବାରୁ ସ୍ଥାନୀୟ ଲୋକେ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଭଦ୍ରକ ମୁଖ୍ୟ ରାସ୍ତାର ବିକାଶ ପାଇଁ ମୋହନ ସରକାର ଆସିବା ପରେ ପ୍ରଥମ ପର୍ୟ୍ୟାୟରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟଠାରୁ ଶନି ମନ୍ଦିର ପର୍ୟ୍ୟନ୍ତ ‘ଅଟଳ ମାର୍ଗ’ର ଶିଳାନ୍ୟାସ ହୋଇଥିଲା। ଗତ ଡିସେମ୍ବର ୩୦ରେ ରାଜ୍ୟ ବିଜେପି ସଭାପତି, ସ୍ଥାନୀୟ ବିଧାୟକ ଓ ସାଂସଦ ଏହାର ଶୁଭାରମ୍ଭ କରିଥିଲେ। ମାଷ୍ଟର ପ୍ଲାନ ଅନୁସାରେ ଉଭୟ ପାର୍ଶ୍ୱରେ ପାର୍କିଂ, ଡିଭାଇଡର ଏବଂ ସୁନ୍ଦର ରାସ୍ତା ନିର୍ମାଣ ହେବାର ଥିଲା। ଏଥିପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ଉଚ୍ଛେଦ ମଧ୍ୟ କରିଥିଲା। ମାତ୍ର ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ବୈମାତୃକ ମନଭାବ ଯୋଗୁଁ କାର୍ୟ୍ୟ ଅଧାରୁ ବନ୍ଦ ହୋଇଯାଇଛି, ଯାହା ଭଦ୍ରକବାସୀଙ୍କ ସ୍ୱପ୍ନକୁ ଧୂଳିସାତ କରିଛି।
ଅଭିଯୋଗ ଅନୁଯାୟୀ, ଯେଉଁ ଡ୍ରେନ ନିର୍ମାଣ ଚାଲିଛି ତାହା ଅତ୍ୟନ୍ତ ନିମ୍ନମାନର ଏବଂ ଜରି ଗଦା ଉପରେ କଂକ୍ରିଟ୍ ପକାଯାଉଛି। କିଛି ସ୍ଥାନରେ ପୁରୁଣା ରାସ୍ତାକୁ ଖୋଳି ଛାଡ଼ି ଦିଆଯାଇଛି। ଏହି ନିମ୍ନମାନର କାର୍ୟ୍ୟକୁ ସ୍ଥାନୀୟ ଲୋକେ ବିରୋଧ କରିବାରୁ ଦୀର୍ଘ ଦିନ ହେଲା ପ୍ରକଳ୍ପ କାମ ବନ୍ଦ ରହିଛି। ସେପଟେ କାର୍ୟ୍ୟ ସଠିକ୍ ଢଙ୍ଗରେ ନହେଲେ ଆଗକୁ ବଡ଼ ଜନ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ।
ଦୀର୍ଘ ଦିନର ପ୍ରତିକ୍ଷା ପରେ ଭଦ୍ରକବାସୀ ସହରର ବିକାଶକୁ ନେଇ ଯେଉଁ ଆଶା ବାନ୍ଧିଥିଲେ, ତାହା ଏବେ ପ୍ରାଶାସନିକ ସିଣ୍ଡିକେଟ୍ ମଧ୍ୟରେ ଅଣନିଶ୍ୱାସୀ ହୋଇପଡ଼ିଛି। ତେବେ କେବେ ସୁଧୁରିବ କାମର ମାନ? ଏବଂ କେବେ ଶେଷ ହେବ ‘ଅଟଳ ମାର୍ଗ’? ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ।
English 





















































































































































































































































































































































































































































































































































































































































































































































































































































































































