ରାହୁଲ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଲେ ବଡ଼କଥା

କନକ ବ୍ୟୁରୋ: ୨୦୨୯ ସାଧାରଣ ନିର୍ବାଚନକୁ ନେଇ ଏବେଠାରୁ ହଲଚଲ ଆରମ୍ଭ ହୋଇଗଲାଣି । ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ବୟାନ ଏବେ ଦେଶର ରାଜନୈତିକ ପାଣିପାଗକୁ ଗରମ କରିଦେଇଛି । ରେଭନ୍ତ ସିଧାସିଧା କହିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନରେ ଇଣ୍ଡି ମେଣ୍ଟ ତରଫରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଚେହେରା ହେବେ । କଂଗ୍ରେସ ପାର୍ଟି ପ୍ରଥମେ ଏହି ଘୋଷଣା କରିବ ଏବଂ ପରେ ମେଣ୍ଟର ଅନ୍ୟ ସହଯୋଗୀ ଦଳଗୁଡ଼ିକୁ ଏଥିପାଇଁ ସହମତ ଜଣାଇବେ ।
ନିକଟରେ ଏକ ପ୍ରତିଷ୍ଠିତ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କର ପ୍ରଧାନମନ୍ତ୍ରୀ ପଦ ପାଇଁ କୌଣସି ବ୍ୟକ୍ତିଗତ ମୋହ ବା ଆକାଂକ୍ଷା ନାହିଁ । ତାଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି କଂଗ୍ରେସ ଦଳକୁ ମଜବୁତ କରିବା ଏବଂ ଦେଶର ସେବା କରିବା । ପୂର୍ବରୁ ଏକ ବୈଠକରେ ରେଭନ୍ତ ରେଡ୍ଡୀ ନିଜେ ରାହୁଲ ଗାନ୍ଧୀଙ୍କୁ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନେତୃତ୍ୱ ଗ୍ରହଣ କରିବାକୁ ବୁଝାଇଛନ୍ତି ଏବଂ ମନାଇଥିବା କହିଥିଲେ । ସେ ଦୃଢ଼ତାର ସହ କହିଛନ୍ତି ଯେ କଂଗ୍ରେସ କେନ୍ଦ୍ରରେ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଶାସନ ଗାଦିରେ ରହିବ ।
ଖାଲି ଏତିକି ନୁହେଁ ରେଭନ୍ତ ମେଣ୍ଟର ରଣନୀତି ନେଇ ମଧ୍ୟ ମୁହଁ ଖୋଲିଛନ୍ତି । କହିଛନ୍ତି ଯେ, ବିରୋଧୀ ମେଣ୍ଟ କେବଳ ଚେହେରା ବାଛି ନିର୍ବାଚନ ଲଢ଼ିବ ନାହିଁ, ବରଂ ଦେଶବାସୀଙ୍କ ସାମ୍ନାରେ ଏକ ମିଳିତ ନୀତି ଦସ୍ତାବିଜ୍ ଉପସ୍ଥାପନ କରିବ । ଏଥିରେ ଦେଶର ବିକାଶ, ନିଯୁକ୍ତି ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ରୋଡମ୍ୟାପ୍ ଜନସାଧାରଣଙ୍କ ସାମ୍ନାରେ ରଖାଯିବ ଏବଂ ଏହା ଆଧାରରେ ଦଳ ଭୋଟ୍ ମାଗିବ । ନିଜର ରାଜନୈତିକ ଭବିଷ୍ୟତକୁ ନେଇ ମଧ୍ୟ ଏକ ବଡ଼ ଦାବି କରିଛନ୍ତି । ଆଗାମୀ ୨୦୩୪ ମସିହା ପର୍ଯ୍ୟନ୍ତ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ସେ ଦାୟିତ୍ୱ ତୁଲାଇବେ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି । ଏହି ସମୟ ମଧ୍ୟରେ ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ତେଲେଙ୍ଗାନାର ବିକାଶରେ ଉତ୍ସର୍ଗ କରିବେ । ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତର ମୋଟ ଜିଡିପି (GDP) ରେ ତେଲେଙ୍ଗାନାର ଯୋଗଦାନକୁ ୧୦ ପ୍ରତିଶତକୁ ବୃଦ୍ଧି କରିବା ।
ରେଭନ୍ତ ରେଡ୍ଡୀଙ୍କ ଏଭଳି ବୟାନ ପରେ ଭାରତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ବିରୋଧୀ ‘INDIA’ ମେଣ୍ଟରେ ସାମିଲ ଥିବା ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ସହଜରେ ଗ୍ରହଣ କରିବେ କି ନାହିଁ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବଡ଼କଥା ହେଉଛି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳ ଆଗକୁ ବଢ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ମେଣ୍ଟର ସହଯୋଗୀ ଦଳମାନଙ୍କ ସହମତି ଏବଂ ଆଗାମୀ ନିର୍ବାଚନର ଫଳାଫଳ ହିଁ ସ୍ପଷ୍ଟ କରିବ ଯେ ଦେଶର ରାଜନୈତିକ ସମୀକରଣ କେଉଁ ମୋଡ଼ ନେଉଛି ।
English 



































































































































































































































































































































































































































































































































































































































































































































































































































































































