ଅଷ୍ଟ୍ରେଲିଆରେ ଭାରତୀୟ ବଂଶୋଦ୍ଭବ ମସାଜ୍ ଥେରାପିଷ୍ଟଙ୍କୁ ୧୪ ବର୍ଷ ଜେଲ୍

କନକବ୍ୟୁରୋ : ଅଷ୍ଟ୍ରେଲିଆର ଆଡିଲେଡ୍ ସହରରେ ଜଣେ ୩୯ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ମସାଜ୍ ଥେରାପିଷ୍ଟ ସୁମିତ ସତୀଶ ରସ୍ତୋଗୀଙ୍କୁ ୧୩ ବର୍ଷ ୧୦ ମାସ ଜେଲ୍ ଦଣ୍ଡାଦେଶ ଶୁଣାଯାଇଛି। ଏକ ସ୍ଥାନୀୟ ମସାଜ୍ ପାର୍ଲରରେ ୬୧ ଜଣ ମହିଳାଙ୍କୁ ଯୌନ ଶୋଷଣ ଓ ବେଆଇନ ଭାବେ ଗୁପ୍ତ ଭିଡିଓ ସୁଟିଂ କରିବା ମାମଲାରେ ଜିଲ୍ଲା ଅଦାଲତର ବିଚାରପତି କାର୍ମେନ୍ ମାଟିଓ ଏହି କଠୋର ସଜା ଶୁଣାଇଛନ୍ତି । ବିଚାରପତି ରାସ୍ତୋଗୀଙ୍କ ଏହି କାର୍ଯ୍ୟକୁ ଅତ୍ୟନ୍ତ ”ଶୋଷଣମୂଳକ” ଓ ”ନିୟନ୍ତ୍ରଣ ବାହାରେ” ବୋଲି କହିଛନ୍ତି । ଅକ୍ଟୋବର ୨୦୨୧ ରୁ ଜୁଲାଇ ୨୦୨୨ ମଧ୍ୟରେ କରାଯାଇଥିବା ଏହି ଅପରାଧ ପାଇଁ ତାଙ୍କ ବିରୋଧରେ ୫୫ଟି ଅଶ୍ଳୀଳ ଭିଡିଓ ସୁଟିଂ ଏବଂ ୪୨ଟି ଗୁରୁତର ଅସଦାଚରଣ ସହ ମୋଟ ୯୭ଟି ମାମଲା ରୁଜୁ ହୋଇଥିଲା, ଯାହାକୁ ସେ କୋର୍ଟରେ ସ୍ୱୀକାର କରିଛନ୍ତି ।
୨୦୧୧ ମସିହାରେ ଦିଲ୍ଲୀରୁ ଆଡିଲେଡ୍ ଆସିଥିବା ରସ୍ତୋଗୀ କୌଣସି ଆନୁଷ୍ଠାନିକ ଯୋଗ୍ୟତା ନଥାଇ ମଧ୍ୟ ମସାଜ୍ ସେବା ଯୋଗାଉଥିଲେ ଏବଂ ଜୁଲାଇ ୨୦୨୨ରେ ତାଙ୍କୁ ଗିରଫ କରାଯାଇଥିଲା। ଶୁଣାଣି ସମୟରେ ପୀଡ଼ିତା ମହିଳାମାନେ ସେମାନଙ୍କର ଗଭୀର ମାନସିକ ଆଘାତ ବିଷୟରେ କୋର୍ଟଙ୍କୁ ଜଣାଇଥିଲେ। ଜଣେ ମହିଳା କହିଛନ୍ତି ଯେ ତାଙ୍କ ହନିମୁନ୍ ସମୟରେ ଏହି ଘଟଣା ଘଟିଥିଲା, ଯାହା ତାଙ୍କ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତକୁ ଏକ ଭୟଙ୍କର ସ୍ମୃତିରେ ପରିଣତ କରିଦେଇଛି ।
ମାନସିକ ରୋଗ ବିଶେଷଜ୍ଞଙ୍କ ଅନୁସାରେ ରସ୍ତୋଗୀ ”ଭୋୟରିଷ୍ଟିକ୍ ଡିସଅର୍ଡର” ନାମକ ଏକ ମାନସିକ ରୋଗରେ ପୀଡ଼ିତ, ଯେଉଁଥିରେ ଅଜାଣତରେ ଅର୍ଦ୍ଧନଗ୍ନ ମହିଳାଙ୍କୁ ଦେଖି ଯୌନ ଉତ୍ତେଜନା ସୃଷ୍ଟି ହୋଇଥାଏ। ଅଦାଲତ ତାଙ୍କ ପାଇଁ ୧୦ ବର୍ଷ ୧୦ ମାସର ଅଣ-ପାରୋଲ ଅବଧି ଧାର୍ଯ୍ୟ କରିଛନ୍ତି, ଯାହାଦ୍ୱାରା ସେ ୨୦୩୫ ସୁଦ୍ଧା ଜେଲରୁ ମୁକୁଳିବାକୁ ଯୋଗ୍ୟ ହେବେ। ଜେଲ୍ ଦଣ୍ଡ ସରିବା ପରେ ତାଙ୍କୁ ଅଷ୍ଟ୍ରେଲିଆରୁ ଭାରତକୁ ଦେଶାନ୍ତର କରାଯିବାର ସମ୍ଭାବନା ରହିଛି ।
English 

















































































































































































































































































































































































































































































































































































































































































































































































































































































