ରୁଷ ଉପରେ ୟୁକ୍ରେନର ସବୁଠାରୁ ବଡ଼ ଡ୍ରୋନ ଆକ୍ରମଣ , ମସ୍କୋ ଅଞ୍ଚଳରେ ୩ ମୃତ, ଅନେକ ଆହତ

କନକବ୍ୟୁରୋ : ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏକ ଭୟଙ୍କର ରୂପ ଧାରଣ କରିଛି। ରୁଷର ରାଜଧାନୀ ମସ୍କୋ ସମେତ ଏକାଧିକ ଅଞ୍ଚଳ ଉପରେ ୟୁକ୍ରେନ ପକ୍ଷରୁ ୫୦୦ରୁ ଅଧିକ ଡ୍ରୋନ ଯୋଗେ ଏକ ବଡ଼ ଆକ୍ରମଣ କରାଯାଇଛି । ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ସେମାନଙ୍କର ଏୟାର ଡିଫେନ୍ସ ସିଷ୍ଟମ ପ୍ରାୟ ୧୨ରୁ ଅଧିକ ଅଞ୍ଚଳରେ ୫୫୬ଟି ୟୁକ୍ରେନୀୟ ଡ୍ରୋନକୁ ଗୁଳି କରି ଖସାଇ ଦେଇଛି । ମସ୍କୋ ଆଞ୍ଚଳିକ ଗଭର୍ଣ୍ଣର ଆନ୍ଦ୍ରେଇ ଭୋରୋବିୟୋଭ ଟେଲିଗ୍ରାମରେ ସୂଚନା ଦେଇଛନ୍ତି ଯେ, ରବିବାର ଭୋର ସମୟରେ ହୋଇଥିବା ଏହି ଡ୍ରୋନ ମାଡ଼ରେ ଜଣେ ମହିଳା ଓ ଦୁଇ ଜଣ ପୁରୁଷଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ବ୍ୟକ୍ତି ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଛନ୍ତି । ଏହି ଆକ୍ରମଣରେ ଅନେକ ଭିତ୍ତିଭୂମି ନଷ୍ଟ ହେବା ସହ ୪ ଜଣ ଆହତ ହୋଇଛନ୍ତି।
ମସ୍କୋ ସହର ମଧ୍ୟରେ କେବଳ ୭୪ଟି ଡ୍ରୋନକୁ ଆକାଶରେ ଧ୍ୱଂସ କରାଯାଇଥିବା ବେଳେ ଏହାର ଭଗ୍ନାବଶେଷ ପଡ଼ିବା ଯୋଗୁଁ ୧୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଗତ ଗୁରୁବାର ରୁଷ ପକ୍ଷରୁ ୟୁକ୍ରେନର କିଭ୍ ଉପରେ କରାଯାଇଥିବା ଆକ୍ରମଣରେ ୨୪ ଜଣ ପ୍ରାଣ ହରାଇଥିଲେ, ଯାହାର ଜବାବରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ବଡ଼ ଧରଣର ପ୍ରତିଶୋଧମୂଳକ ଆକ୍ରମଣ କରିବାକୁ ଚେତାବନୀ ଦେଇଥିଲେ । ଗତ ମଙ୍ଗଳବାର ଦୁଇ ଦେଶ ମଧ୍ୟରେ ହୋଇଥିବା ତିନି ଦିନିଆ ସାମୟିକ ଅସ୍ତ୍ରବିରତି ଓ ବନ୍ଦୀ ବିନିମୟ ଅବଧି ଶେଷ ହେବା ପରେ ଏହି ଆକ୍ରମଣାତ୍ମକ ସ୍ଥିତି ଉପୁଜିଛି। ରୁଷର ପ୍ରତିଦିନର ବୋମାମାଡ଼ର ଜବାବ ଦେବାକୁ ଯାଇ ୟୁକ୍ରେନ ସେନା ରୁଷର ସାମରିକ ଏବଂ ଶକ୍ତି କେନ୍ଦ୍ରଗୁଡ଼ିକୁ ଟାର୍ଗେଟ୍ କରୁଥିବା ସ୍ପଷ୍ଟ କରିଛି।
English 








































































































































































































































































































































































































































































































































































































































































































































































































































































