ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ , ତେଲ ସଂକଟ ମଧ୍ୟରେ ସାଧାରଣ ବିମାନରେ ଭୁବନେଶ୍ୱର ପହଞ୍ଚିବେ ନୀତିନ

କନକ ବ୍ୟୁରୋ : ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତିନ ନବୀନ । ତୈଳ ସଂକଟ ଯୋଗୁ ନୀତିନ ନବୀନ ସ୍ବତନ୍ତ୍ର ବିମାନରେ ନଆସି ସାଧାରଣ ଯାତ୍ରୀବାହୀ ବିମାନରେ ଆସିବେ । ରାତି ୧୦ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସେଠାରେ ତାଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦଳର ବରିଷ୍ଠ ନେତୃବର୍ଗ ସ୍ବାଗତ ସମ୍ବର୍ଦ୍ଧନା ଦେବେ। ଏହାପରେ ତାଙ୍କୁ ବିନା ଶୋଭାଯାତ୍ରାରେ ହୋଟେଲକୁ ନିଆଯିବ । ଏହି ଦୁଇ ଦିନିଆ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ବସିବ। ଏଥିରେ ରାଷ୍ଟ୍ରୀୟ ସଭାପତି ଯୋଗଦେବେ ।
ଅଧିକ ପଢ଼ନ୍ତୁ : ୧୮ରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ
ଏହାପରେ ଜଟଣୀସ୍ଥିତ ଏସିଆନ ଇନଷ୍ଟିଚ୍ୟୁଟ ଅଫ ଫିଜିକାଲ ହେଲ୍ଥ (ଏଆଇପିଏଚ୍) ବିଶ୍ୱବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ଶିବିରକୁ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବେ। ରାଷ୍ଟ୍ରୀୟ ସଭାପତି ଅପରାହ୍ନରେ ଭୁବନେଶ୍ବର ଫେରି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି ଏବଂ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କ ସହ ଆଲୋଚନା କରିବେ । କିପରି ଦଳର ସଂଗଠନ ଏବଂ ସରକାର ମିଳିତ ଭାବେ କାର୍ଯ୍ୟ କରିବେ, ସରକାରକୁ ଲୋକାଭିମୁଖୀ କରିବାକୁ ମନ୍ତ୍ରୀମାନେ ସେମାନଙ୍କ ବିଭାଗରେ କଣ କରିବା ଦରକାର ସେନେଇ ମଧ୍ୟ ପରାମର୍ଶ ଦେବେ ବୋଲି ଜଣାପଡ଼ିଛି । ସୋମବାର ରାତିରେ ଦିଲ୍ଲୀ ଫେରିଯିବେ ନୀତିନ ନବୀନ ।
English 




































































































































































































































































































































































































































































































































































































































































































































































































