ଭିନ୍ନ ଜଣେ ସାବିତ୍ରୀ ‘କୁନ୍ତଳା’; ସ୍ୱାମୀଙ୍କୁ ବଞ୍ଚାଇବାକୁ ୮ ବର୍ଷର ସଂଘର୍ଷ

କନକ ବ୍ୟୁରୋ : ଜୀବନ ସହ ସଂଗ୍ରାମ କରୁଛି ସ୍ୱାମୀ । ହେଲେ ହାର୍ ମାନୁନି ସ୍ତ୍ରୀର ସଂଘର୍ଷ । ଫୁସଫୁସ ସଂକ୍ରମଣରେ ପୀଡ଼ିତ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଭଡ଼ା ଅକ୍ସିଜେନ ମେସିନ ସାହାରାରେ ଚାଲିଛି ଚିକିତ୍ସା । ଚିକିତ୍ସାରେ ଅର୍ଥ ସାଜିଛି ବାଧକ ।
ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଶାସନ ଗାଁର ସୁରେନ୍ଦ୍ର ମଲ୍ଲିକ । ଦିନେ ଦିଲ୍ଲୀରେ ପାଣି ପାଇପ୍ କାମ କରି ପରିବାର ଚଳାଉଥିଲେ । ୮ ବର୍ଷ ତଳେ ହଠାତ୍ ଦେହ ଖରାପ ହେବାରୁ ଗାଁକୁ ଚାଲିଆସିଲେ। ଡାକ୍ତର କହିଲେ ଫୁସଫୁସ ଖରାପ ଅଛି । କାମ କରିବା ବି ସମ୍ଭବ ହେଲାନି। ଘରେ ଯାହା ଥିଲା ସବୁ ବିକି ଭାଙ୍ଗି ସ୍ୱାମୀଙ୍କ ଚିକିତ୍ସା କଲେ ସ୍ତ୍ରୀ । ଏବେ ଆର୍ଥିକ ଅଭାବରୁ ଚିକିତ୍ସା ସମ୍ଭବ ହେଉନି । ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେଲେ ଅଳ୍ପ ସମୟ ଅକ୍ସିଜେନ ଲଗାଇ କଟକ ରେଫର କରିଦେଉଛନ୍ତି । ଏପଟେ ଗତ ୪ ମାସ ତଳେ କଟକ ବଡ଼ ମେଡିକାଲରେ ସୁରେନ୍ଦ୍ର ୨୮ ଦିନ ଆଇସିୟୁରେ ରହିଥିଲେ । ପରେ ଡାକ୍ତର ଘରେ ଅକ୍ସିଜେନ ବ୍ୟବସ୍ଥା କରି ନେଇଯିବାକୁ କହିଲେ । ପାଖରେ ଟଙ୍କାଟିଏ ନଥିବା ବେଳେ ମାସିକ ୧୦ ହଜାର ଟଙ୍କା ଭଡ଼ାରେ କଟକରୁ ଅକ୍ସିଜେନ୍ ମେସିନ୍ ଆଣି ସ୍ୱାମୀଙ୍କ ଚିକିତ୍ସା କରୁଛନ୍ତି ସ୍ତ୍ରୀ ।
ଅଧିକ ପଢ଼ନ୍ତୁ : ବୃକ୍ଷ ରୋପଣରେ ଦୁର୍ନୀତି ! ଗଛ ନଲଗାଇ ଚଳୁ କରିଦେଲେ ଲକ୍ଷାଧିକ ଟଙ୍କା !
ବଖରାଏ ଘର ଭିତରେ ୫ ପ୍ରାଣୀ କୁଟୁମ୍ବ ରହିବା ସହ ସେଇଠି ଏକ ଛୋଟ ଦୋକାନ କରିଛନ୍ତି । ସେଥିରୁ ଯାହା ମିଳୁଛି ଦୁଇ ଓଳି ଦୁଇ ମୁଠା ଖାଇବା କଷ୍ଟକର । ସେଥିରେ ସ୍ୱାମୀଙ୍କ ଚିକିତ୍ସା କରିବେ କିପରି । ଏପଟେ ୨ ଝିଅ ଓ ଗୋଟିଏ ପୁଅର ପାଠପଢ଼ାରେ ଡୋରି ବନ୍ଧା ହେବାକୁ ବସିଲାଣି । ଅନ୍ୟପଟେ ପରିବାରରେ ୫ ଜଣ ସଦସ୍ୟ ଥିଲେ ସୁଦ୍ଧା ମାତ୍ର ୪ ଜଣଙ୍କ ରାସନ ମିଳୁଛି । ଏହାରି ଭିତରେ ଯଦି ଅକ୍ସିଜେନ୍ ଭଡ଼ା ଟଙ୍କା ନଦେଲେ ମେସିନ୍ ଫେରସ୍ତ କରିବାକୁ ମାଲିକ ଧମକ ଦେଉଛି ।
ଜିଲ୍ଲା ପ୍ରଶାସନ ତୁରନ୍ତ ସୁରେନ୍ଦ୍ରଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ସହ ସହାୟତାର ହାତ ବଢ଼ାଇବାକୁ ଦାବି ହୋଇଛି ।
English 






























































































































































































































































































































































































































































































































































































































































































