ଜଗାର ଶ୍ରେଷ୍ଠ ସେବକ; ଚାକିରି ନୁହେଁ, ସେବା ବଡ଼

କନକ ବ୍ୟୁରୋ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ସମସ୍ତ ସୁଖ-ଐଶ୍ୱର୍ଯ୍ୟଠାରୁ ଊର୍ଦ୍ଧ୍ୱରେ । ଜୀବନରେ ଭାଗ୍ୟ ଥିଲେ ହିଁ କାଳିଆ ସାଆନ୍ତଙ୍କ ସେବା ମିଳିଥାଏ, ଯାହା ଆଗରେ ସରକାରୀ ଚାକିରି ମଧ୍ୟ ଅତି ତୁଚ୍ଛ । ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ନନ୍ଦିଘୋଷ ରଥର ପ୍ରମୁଖ ବିଶ୍ୱକର୍ମା ସେବକ ପ୍ରାଣନାଥ ମହାରଣା । ଜୀବନରେ ରେଳ ବିଭାଗ ଓ ପୁରୀ ପୌରପାଳିକା ଭଳି ଅନେକ ଆକର୍ଷଣୀୟ ସରକାରୀ ଚାକିରିର ସୁଯୋଗ ଆସିଥିଲେ ମଧ୍ୟ ସେ ସବୁକୁ ଅନାୟାସରେ ପ୍ରତ୍ୟାଖ୍ୟାନ କରିଥିଲେ ପ୍ରାଣନାଥ । ତାଙ୍କ ମତରେ, ସରକାରୀ ଚାକିରି କଲେ ମହାପ୍ରଭୁଙ୍କ ରଥ ନିର୍ମାଣ ସେବାରେ ବାଧା ଉପୁଜିବ । ତେଣୁ ସେବାକୁ ପ୍ରାଥମିକତା ଦେଇ ସେ ସବୁକିଛି ପଛକୁ ଠେଲି ଦେଇଥିଲେ ।
ଅଧିକ ପଢ଼ନ୍ତୁ : କିନ୍ନରଙ୍କ ନିଆରା ସାବିତ୍ରୀ; ଗୁରୁଙ୍କ ଶୁଭ ମନାସିଲେ, ନୂଆ ଶାଢ଼ି, ଶଙ୍ଖା, ସିନ୍ଦୂର ପିନ୍ଧି କଲେ ବ୍ରତ
ମହାପ୍ରଭୁ ନିଜେ ସେବା ଓ ସେବକ ଖଞ୍ଜିଥାନ୍ତି, ଆଉ ସେହି ସମର୍ପଣ ଭାବ ନେଇ ପ୍ରାଣନାଥ ଆଜି ବି କାର୍ଯ୍ୟ କରୁଛନ୍ତି । ଅକ୍ଷୟ ତୃତୀୟା ଆସିଲେ ମହାପ୍ରଭୁଙ୍କ ସେବା ପାଇଁ ତାଙ୍କ ମନ ବ୍ୟାକୁଳ ହୋଇଉଠେ । ୬୫ ବର୍ଷ ବୟସରେ ବି ସେବା ପ୍ରତି ତାଙ୍କର ଏହି ନିଷ୍ଠା ଓ ତ୍ୟାଗ ଅତୁଟ ରହିଛି । ଆଜି ବି ରଥଖଳାରେ ନିହଣ ଓ ମୁଗୁର ଧରି ନିଖୁଣ ଭାବେ କାଠ ଚିରୁଥିବା ଏହି ସମର୍ପିତ ଭକ୍ତଙ୍କୁ ଦେଖିଲେ ଠାକୁରଙ୍କ ପ୍ରତି ବିଶ୍ୱାସ ଆହୁରି ଦୃଢ଼ ହୋଇଯାଏ । ରଥଖଳାର ଏହି ନିଆରା ବ୍ୟକ୍ତିତ୍ୱ ପ୍ରମାଣିତ କରିଛନ୍ତି ଯେ, ମହାପ୍ରଭୁଙ୍କ ଲୀଳା ବିଚିତ୍ର ଏବଂ ତାଙ୍କ ସେବକ ହେବା ହିଁ ଜୀବନର ସର୍ବଶ୍ରେଷ୍ଠ ସୌଭାଗ୍ୟ ।
English 


















































































































































































































































































































































































































































































































































































































































































