#Local

ସିଏମ୍ ହେଉ ହେଉ ମୋଦୀଙ୍କୁ ଘେରିଲେ ବିଜୟ, ତେଲ ଦରକୁ ନେଇ କହିଦେଲେ ଏମିତି

କନକ ବ୍ୟୁରୋ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ପ୍ରାୟ ୩ ଟଙ୍କା ବୃଦ୍ଧି ପାଇବା ପରେ ଏବେ ସାରା ଦେଶରେ ରାଜନୀତି ଗରମ ହେବାରେ ଲାଗିଛି । ଆଉ ତାମିଲନାଡୁରେ କ୍ଷମତା ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ମୋଦୀ ସରକାରଙ୍କୁ ଖୋଲାଖୋଲି ଟାର୍ଗେଟ୍ ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ବିଜୟ । ନିର୍ବାଚନ ସରିବା ମାତ୍ରେ କେନ୍ଦ୍ର ସରକାର କେମିତି ତେଲ ରେଟ୍ ବଢ଼ାଇଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜୟ । ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହାକୁ ନେଇ କେନ୍ଦ୍ରକୁ ତୀବ୍ର ସମାଲୋଚନା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦଳରେ ରହିବାର ଅଛି ରୁହ, ଯିଏ ଯିବାକୁ ଚାହୁଛ ଯାଅ

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ସୁପରଷ୍ଟାର ତଥା ନବନିର୍ବାଚିତ ସିଏମ୍ ସି. ଜୋସେଫ୍ ବିଜୟ । ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ସିଧାସଳଖ ବିଜେପିକୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ, ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ମାତ୍ରେ ଜନସାଧାରଣଙ୍କ ଉପରେ ଏହି ମହଙ୍ଗା ମାଡ଼ କରାଯାଇଛି, ଯାହା ଆଦୌ ଗ୍ରହଣୀୟ ନୁହେଁ । କାରଣ ନିର୍ବାଚନ ସରିବା ମାତ୍ରେ ତେଲ ଦର ବଢ଼ାଇବା ବିଜେପିର ପୁରୁଣା ଅଭ୍ୟାସ । କେନ୍ଦ୍ର ସରକାର ତୁରନ୍ତ ଏହି ବର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହାର କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ବାସ୍ତବରେ, ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା କାରଣରୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍ ଅଏଲ୍‌ର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯେଉଁଥିପାଇଁ କେନ୍ଦ୍ର ସରକାର ଶୁକ୍ରବାର ଦିନ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ପ୍ରାୟ ୩ ଟଙ୍କା ବୃଦ୍ଧି କରିଛନ୍ତି । କିନ୍ତୁ ବିରୋଧୀ ଦଳଙ୍କ ଅଭିଯୋଗ ହେଉଛି, ଯେତେବେଳେ ନିର୍ବାଚନ ଚାଲିଥିଲା, ସେତେବେଳେ ମଧ୍ୟ ଅନ୍ତର୍ଜାତୀୟ ବଜାରରେ ତେଲ ଦର ଅଧିକ ଥିଲା । ହେଲେ ନିର୍ବାଚନ ଜିତିବା ପାଇଁ ସରକାର ସେତେବେଳେ ଦର ବଢ଼ାଇ ନଥିଲେ ଏବଂ ଭୋଟ୍ ସରିବା ମାତ୍ରେ ଜନସାଧାରଣଙ୍କୁ ଝଟକା ଦେଇଛନ୍ତି ।

ଏପଟେ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ଦେଶର ବିରୋଧୀ ଦଳ ମୋଦୀ ସରକାରଙ୍କୁ ଘେରିଛନ୍ତି । ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ରାହୁଲ ଲେଖିଛନ୍ତି ଯେ, ମୋଦୀ ସରକାରଙ୍କ ଭୁଲ ନୀତି ଯୋଗୁଁ ଜନସାଧାରଣ ଏହାର ମୂଲ୍ୟ ଦେଉଛନ୍ତି । ତିନି ଟଙ୍କାର ଏହି ମହଙ୍ଗା ମାଡ଼ ତ କେବଳ ଏକ ଝଟକା, ବାକି ଟଙ୍କା କିସ୍ତିରେ ଆଦାୟ କରାଯିବ । ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଗତ ୪ରେ ରେଜଲ୍ଟ ବାହାରିଥିଲେ । ଠିକ୍ ୧୧ ଦିନ ପରେ ଅର୍ଥାତ୍ ଶୁକ୍ରବାର ଦିନ ଦେଶରେ ପେଟ୍ରୋଲ-ଡିଜେଲ ଦର ବଢ଼ାଇ ଦିଆଗଲା । ନିର୍ବାଚନ ସମୟରେ ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି ଥିଲେ ମଧ୍ୟ ଭାରତରେ ତେଲ ଦର ସ୍ଥିର ରହିଥିଲା । ଆଉ ଏହାକୁ ନେଇ ଏବେ ସରକାରଙ୍କ ନୀତି ଓ ନିୟତ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ତେବେ ପଶ୍ଚିମ ଏସିଆ ସଙ୍କଟକୁ ଦେଖାଇ କେନ୍ଦ୍ର ସରକାର ଏହି ଦର ବୃଦ୍ଧିକୁ ଯୁକ୍ତିଯୁକ୍ତ ବୋଲି କହୁଥିବାବେଳେ, ବିରୋଧୀ ଏହାକୁ ନିର୍ବାଚନୀ ଗଣିତ ଏବଂ ଜନବିରୋଧୀ ନୀତି ବୋଲି ଆଖ୍ୟା ଦେଇଛନ୍ତି । ବିଶେଷ କରି ତାମିଲନାଡୁରେ ସିଏମ୍ ବିଜୟଙ୍କ ଏହି ଆଭିମୁଖ୍ୟ ସ୍ପଷ୍ଟ କରୁଛି ଯେ ଆଗାମୀ ଦିନରେ କେନ୍ଦ୍ର ଏବଂ ତାମିଲନାଡୁ ସରକାରଙ୍କ ମଧ୍ୟରେ ରାଜନୈତିକ ଲଢ଼େଇ ଆହୁରି ତେଜିବ । 

Leave a comment

Your email address will not be published. Required fields are marked *