ଡିଜେଲ୍ ଅଭାବରୁ ଗଡ଼ୁନି ଟ୍ରାକ୍ଟର୍; ହଳ ପାଇଁ ବଳଦ ଖୋଜିଲାଣି ଚାଷୀ

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ତୈଳ ସଙ୍କଟ । ପେଟ୍ରୋଲ ଓ ଡିଜେଲ ପାଇଁ ପମ୍ପଗୁଡ଼ିକରେ ଗ୍ରାହକଙ୍କର ମାଇଲ୍ ମାଇଲ୍ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି । ସବୁଠାରୁ ବଡ଼ କଥା ହେଉଛି, ଡିଜେଲ ଅଭାବ ଯୋଗୁଁ ବରୀ ଅଞ୍ଚଳର ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।
ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ସାରା ବିଶ୍ୱରେ ଦେଖିବାକୁ ମିଳିଛି ତୈଳ ସଙ୍କଟ । ଏହାର ପ୍ରଭାବ ଯାଜପୁରର ବରୀ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଲମ୍ବୁଛି ଗ୍ରାହକଙ୍କ ଲମ୍ବା ଧାଡ଼ି । ପମ୍ପରେ ବାଇକ୍ ଚାଳକଙ୍କୁ ଶହେ ଟଙ୍କାର ଏବଂ କାର୍ ଚାଳକଙ୍କୁ ୫ଶହ ଟଙ୍କାର ପେଟ୍ରୋଲ ଦେଉଛନ୍ତି । ସମସ୍ୟା କେବଳ ପେଟ୍ରୋଲରେ ସୀମିତ ନାହିଁ, ଆବଶ୍ୟକ ଡିଜେଲ ମଧ୍ୟ ମିଳୁନି । ଯାହାର ସିଧାସଳଖ ପ୍ରଭାବ ପଡ଼ିଛି କୃଷି କାର୍ଯ୍ୟ ଉପରେ । ଆଗକୁ ମୌସୁମୀ ଆସୁଥିବାରୁ ଚାଷୀମାନେ ଏବେ ଜମି ପ୍ରସ୍ତୁତ କରି ହଳ କରୁଛନ୍ତି । ହେଲେ ଡିଜେଲ ଅଭାବରୁ ଟ୍ରାକ୍ଟର ଚାଲିପାରୁନି, ଯାହାଫଳରେ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।
ଅଧିକ ପଢ଼ନ୍ତୁ : ଜଗାର ଶ୍ରେଷ୍ଠ ସେବକ; ଚାକିରି ନୁହେଁ, ସେବା ବଡ଼
ବରୀର ୭୦ ଭାଗ ଲୋକେ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି । ଦିନେ ସରକାର କହିଲେ, କଳ ଲଙ୍ଗଳରେ କରିବ ଚାଷ, ତେବେ ନରହିବ ବାଳୁଙ୍ଗା ଘାସ । ସରକାର ସମସ୍ତ ପ୍ରକାର ମେସିନ୍ ଯୋଗାଇଦେଲେ । ଚାଷୀ ମେସିନ୍ ବ୍ୟବହାର କରି ବଳଦ ବିକ୍ରି କରିଦେଲେ । ହେଲେ ତେଲ ସଙ୍କଟ ସମୟରେ ଜମି ହଳ କରିବାକୁ ଅସୁବିଧାର ସମ୍ମୁଖୀନ ହୋଇ ପୁଣିଥରେ ଗାଁ ଗାଁ ବୁଲି ବଳଦ ଖୋଜିବା ଆରମ୍ଭ କଲେଣି ଚାଷୀ ।
ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ପ୍ରେସମିଟ୍ କରି କହୁଛନ୍ତି କି ରାଜ୍ୟରେ ପର୍ଯ୍ୟାପ୍ତ ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଛି । ହେଲେ ଗ୍ରାମାଞ୍ଚଳରେ ତେଲ ନମିଳିବା ଘଟଣା ସାଧାରଣ ଜନତାଙ୍କୁ ଆନ୍ଦୋଳିତ କଲାଣି । ଯାଜପୁର ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଜୋର ଧରିଛି ।
English 


















































































































































































































































































































































































































































































































































































































































































