କ’ଣ ସତରେ ଚର୍ବି କମାଏ ଲାଉ ଜୁସ୍ ? କେବେ ଏବଂ କେତେ ମାତ୍ରାରେ ପିଇବେ ? ଏହି ଜୁସ୍ ପିଇଲେ କ’ଣ ମିଳେ ଫାଇଦା ?

କନକ ବ୍ୟୁରୋ : ବଦଳୁଥିବା ଜୀବନଶୈଳୀ ଓ ଭୁଲ୍ ଖାଦ୍ୟାଭ୍ୟାସ ଯୋଗୁଁ ଆଜିର ସମୟରେ ପ୍ରତି ଚାରିଜଣଙ୍କ ମଧ୍ୟରୁ ଜଣେ ବୟସ୍କ ବ୍ୟକ୍ତି ମୋଟାପଣର ଶିକାର ହେଉଛନ୍ତି । ଏହି ମୋଟାପଣ କେବଳ ଶାରୀରିକ ସୌନ୍ଦର୍ଯ୍ୟ କମାଉନି ବରଂ ହୃଦରୋଗ ଓ ଫ୍ୟାଟି ଲିଭର୍ ଭଳି ମାରାତ୍ମକ ରୋଗର କାରଣ ମଧ୍ୟ ସାଜୁଛି । ତେବେ ଏଥିରୁ ମୁକ୍ତି ପାଇବାର ଉପାୟ କ’ଣ? ଏଥିପାଇଁ ଆମେ କେତେ କ’ଣ ଔଷଧ,ଘରୋଇ ଉପାୟର ସାହାଯ୍ୟ ନେଇଥାଉ । କିନ୍ତୁ ଆଜିର ରିପୋର୍ଟରେ ଆସନ୍ତୁ ଜାଣିବା ଯେ କିପରି ସକାଳର ଗୋଟିଏ ଗ୍ଲାସ୍ ଲାଉ ଜୁସ୍ ଆପଣଙ୍କ ଓଜନ କମାଇବାରେ ଏକ ବରଦାନ ସାବ୍ୟସ୍ତ ହୋଇପାରିବ । ଆୟୁର୍ବେଦରେ ଲାଉକୁ ‘ଅମୃତ ତୁଲ୍ୟ’ ବୋଲି କୁହାଯାଇଛି । ଏଥିରେ ୯୦ ପ୍ରତିଶତରୁ ଅଧିକ ପାଣି ଏବଂ ପ୍ରଚୁର ପରିମାଣର ଫାଇବର୍ ରହିଥାଏ ।
ଆଗକୁ ପଢ଼ନ୍ତୁ : ଜମାରୁ ଫୋପାଡନ୍ତୁ ନାହିଁ ବାସି ଭାତ : ଫାଇଦା ଜାଣିଲେ ଉଡ଼ିବ ହୋସ୍ , ଚେହେରାକୁ ଚମକାଇ ଦେବ ବାସି ଭାତ
ମାତ୍ର ୧୦୦ ଗ୍ରାମ ଲାଉରେ ୧୨ରୁ ୧୫ କ୍ୟାଲୋରୀ ଥାଏ । ତେଣୁ ଏହା ଆପଣଙ୍କ କ୍ୟାଲୋରୀ ଗ୍ରହଣକୁ ନିୟନ୍ତ୍ରଣ କରେ । ଏଥିରେ ଥିବା ଫାଇବର୍ ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ହେବାକୁ ଦିଏ ନାହିଁ ଯାହା ଦ୍ୱାରା ଆପଣ ବାରମ୍ବାର ଖାଆନ୍ତି ନାହିଁ । ଲାଉ ଜୁସ୍ ଶରୀରରୁ ବିଷାକ୍ତ ପଦାର୍ଥ ବା ଟକ୍ସିନ୍ସ ବାହାର କରି ମେଟାବୋଲିଜିମ୍କୁ ବଢ଼ାଏ ଯାହା ଫ୍ୟାଟ୍ ବର୍ଣ୍ଣିଂ ପ୍ରକ୍ରିୟାକୁ ଦ୍ରୁତ କରିଥାଏ । ବିଶେଷଜ୍ଞଙ୍କ ମତରେ, ଲାଉ ଜୁସ୍ ପିଇବା ସମୟରେ କିଛି ନିୟମ ପାଳନ କରିବା ନିହାତି ଆବଶ୍ୟକ । ଯେମିତିକି ମାତ୍ରା । ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ୧୫୦ ରୁ ୨୦୦ ମିଲିଲିଟର ଏକ ଛୋଟ ଗ୍ଲାସ୍ ଜୁସ୍ ପିଇବା ଉଚିତ୍ । ଦ୍ବିତୀୟରେ ହେଲା ସମୟ । ସକାଳେ ଖାଲି ପେଟରେ ଏହାକୁ ପିଇବା ସବୁଠାରୁ ଅଧିକ ଭଲ । ଜୁସ୍ ପିଇବାର ଅଧଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ । ଆଉ ତୃତୀୟ ହେଉଛି ସତର୍କତା । ଜୁସ୍ ବାହାର କରିବା ପୂର୍ବରୁ ଲାଉର ଏକ ଛୋଟ ଖଣ୍ଡ ଚାଖି ନିଅନ୍ତୁ । ଯଦି ଏହା ଅତ୍ୟଧିକ ପିତା ଲାଗୁଛି ତେବେ ତାହାକୁ ଜମା ବି ପିଅନ୍ତୁ ନାହିଁ । ଏଥିରେ ଥିବା ‘କୁକରବିଟାସିନ୍’ ନାମକ ବିଷାକ୍ତ ତତ୍ତ୍ୱ ପ୍ରାଣଘାତୀ ହୋଇପାରେ ।
ଲାଉ ଜୁସ୍ ଓଜନ କମାଇବାରେ ଏକ ପ୍ରାକୃତିକ ଓ ପ୍ରଭାବଶାଳୀ ଉପାୟ । କିନ୍ତୁ ମନେ ରଖନ୍ତୁ କେବଳ ଗୋଟିଏ ଜୁସ୍ ପିଇବା ପର୍ଯ୍ୟାପ୍ତ ନୁହେଁ । ଏହା ସହ ସୁଷମ ଆହାର ଏବଂ ନିୟମିତ ବ୍ୟାୟାମ ମଧ୍ୟ ଜରୁରୀ । ଯଦି ଆପଣଙ୍କ ଶରୀର ରୋଗାଗ୍ରସ୍ତ ଅଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
English 





































































































































































































































































































































































































































































































































































































































