#Local

କନକ ନ୍ୟୁଜ୍‌ ‘ଉତ୍କର୍ଷ’ କାର୍ଯ୍ୟକ୍ରମ : ଲୋକଙ୍କୁ ସଚେତନ କରିବାକୁ ଡିଜିପିଙ୍କୁ ପରାମର୍ଶ

କନକବ୍ୟୁରୋ : ସମାଜରେ ବଢ଼ୁଥିବା ନିଶାଦ୍ରବ୍ୟ ସେବନକୁ ନେଇ ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି ଚିନ୍ତା ପ୍ରକଟ କରିଛନ୍ତି। ‘କନକ ନ୍ୟୁଜ୍  ପକ୍ଷରୁ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ଆୟୋଜିତ ବାର୍ଷିକ ଶିକ୍ଷା ସମ୍ମିଳନୀ ‘ଉତ୍କର୍ଷ’କୁ ଉଦ୍‌ଘାଟନ କରି ରାଜ୍ୟପାଳ କହିଲେ, ନିଶାଦ୍ରବ୍ୟ ସମସ୍ୟା ରୋକିବାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେଣୁ ନିଶା ସଚେତନତା ଉପରେ ଲୋକଭବନ ଦ୍ୱାରା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ଯେଉଁଥିରେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କଠାରୁ ଶହେ କ୍ଷୁଦ୍ର ଚଳଚ୍ଚିତ୍ର ମିଳିଥିଲା। ସେଥିମଧ୍ୟରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୦ଟି ଚଳଚ୍ଚିତ୍ରକୁ ଚୟନ କରାଯାଇ ଲୋକ ଭବନକୁ ପଠାଯାଇଥିଲା। ସେଥିରୁ ୩ଟି କ୍ଷୁଦ୍ର ଚଳଚ୍ଚିତ୍ରକୁ ବଛାଯାଇ ପୁରସ୍କାର ପ୍ରଦାନ କରାଯିବ। ଏହି ଚଳଚ୍ଚିତ୍ରଗୁଡ଼ିକୁ ସାର୍ବଜନୀନ ସ୍ଥାନ ଓ ରାସ୍ତା ପାର୍ଶ୍ୱରେ ପ୍ରଦର୍ଶନ କରି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ବିହିତ ପଦକ୍ଷେପ ନେବାକୁ ସେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି।  ରାଜ୍ୟପାଳ କହିଲେ, ଛାତ୍ରଛାତ୍ରୀ କେବଳ ଦକ୍ଷ ବୃତ୍ତିଧାରୀ ଭାବେ ନୁହେଁ, ବରଂ ସହାନୁଭୂତି, ନୀତି ଓ ସାମାଜିକ ପ୍ରତିବଦ୍ଧତା ଦ୍ୱାରା ପରିଚାଳିତ ଦାୟିତ୍ୱବାନ ନାଗରିକ ଭାବେ ଉଭା ହେବା ଉଚିତ। ପ୍ରକୃତ

ଉତ୍କର୍ଷ ଶିକ୍ଷାଗତ କିମ୍ବା ବୃତ୍ତିଗତ ସଫଳତା ମଧ୍ୟରେ ସୀମିତ ନୁହେଁ, ଏହା ଚରିତ୍ର, ସାଧୁତା, ଶୃଙ୍ଖଳା, କରୁଣା ଓ ଜ୍ଞାନର ନିରନ୍ତର ଅନୁସନ୍ଧାନରେ ପ୍ରତିଫଳିତ ହୋଇଥାଏ। ତେବେ ଶିକ୍ଷକ, ନୀତି ନିର୍ଦ୍ଧାରକ, ଅଭିଭାବକ, ଗଣମାଧ୍ୟମ ପ୍ରତ୍ୟେକ ପିଲାଙ୍କ ପାଇଁ ଗୁଣାତ୍ମକ ଶିକ୍ଷା, ସମାନ ସୁଯୋଗ ଏବଂ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇ କହିଲେ, ଅନ୍ୟକୁ ଛୋଟ କରି ଯେଉଁମାନେ ବଡ଼ ହେବାକୁ ଚାହାଁନ୍ତି ସେମାନେ କେବେ ବି ଉତ୍କର୍ଷର ଉପାସକ ହୋଇପାରିବେ ନାହିଁ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ ‘ସମ୍ବାଦ’ ଗ୍ରୁପ୍‌ ବର୍ଷତମାମ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛି ବୋଲି ମତବ୍ୟକ୍ତ କରିଥିଲେ।

‘ବିକଶିତ ଓଡ଼ିଶାରେ ଶିକ୍ଷାର ଭାଗ’ ଶୀର୍ଷକ ଅଧିବେଶନରେ ଯୋଗ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ, ବିଶ୍ବବିଦ୍ୟାଳୟରେ ଖାଲିଥିବା ୧୪୦୦ ପ୍ରଫେସର ପଦ ପୂରଣ ଦିଗରେ ପଦକ୍ଷେପ ନିଆଯାଇଛି। ଏନ୍‌ଇପି ଲାଗୁ, ଷ୍ଟାର୍ଟଅପ୍‌ ସୃଷ୍ଟି, ବିଶ୍ବବିଦ୍ୟାଳୟକୁ ସ୍ବାୟତ୍ତତା ପ୍ରଦାନ, କୁଳପତି ପଦବିଗୁଡ଼ିକ ପୂରଣ, ଉପାନ୍ତ ଅଞ୍ଚଳରେ ଡିଗ୍ରି କଲେଜ ଖୋଲିବା, ମାତୃଭାଷାରେ ଶିକ୍ଷାଦାନ, ଶିକ୍ଷାନୁଷ୍ଠାନ ସହ ଶିଳ୍ପାନୁଷ୍ଠାନକୁ ଯୋଡ଼ିବା ଦିଗରେ ପଦକ୍ଷେପ ନିଆଯାଇଛି। ଏଥିସହ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ ରାଜ୍ୟ ସରକାର ସକାରାତ୍ମକ ରହିଥିବା ନେଇ ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

‘ସୁଦୃଢ଼ ହେବ ବିଶ୍ବବିଦ୍ୟାଳୟ’ ଅଧିବେଶନରେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ, ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କେବି ରାଉତ ଏବଂ ଓଡ଼ିଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚର୍ଯ୍ୟ ଯୋଗ ଦେଇ ଆଲୋଚନା କରିଥିଲେ। ନିକଟରେ ଦ୍ବାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରୀ  ଆଲିଶା ବିଶ୍ବାଳ, ଟିନା ରଥ ଓ ସ୍ବାଗତିକା ପରିଡ଼ାଙ୍କୁ ନେଇ ‘ଟପର୍‌ ହେବାର ଟପ୍‌ ଫର୍ମୁଲା’ ଆଲୋଚନା ଅନୁଷ୍ଠିତ ହୋଇଥିଲା। ରାଜ୍ୟର ଭିତ୍ତିଭୂମିର ବିକାଶ ଉପରେ ଆଧାରିତ ‘ସୁଯୋଗ ଅଛି ସୁବିଧା ନାହିଁ’ ପ୍ରସଙ୍ଗରେ ନାଇଜର୍‌ର ଡିନ୍‌ (ଏକାଡେମିକ୍ସ) ପ୍ରଣୟ ସ୍ବାଇଁ, ଆଇଆଇଟି ଧାନବାଦର ପୂର୍ବତନ ଅଧ୍ୟକ୍ଷ ଧନୁଷଧାରୀ ମିଶ୍ର ଓ ନାଇଜର୍‌ର ଆସୋସିଏଟ୍‌ ପ୍ରଫେସର୍‌ ଅମରେନ୍ଦ୍ର ଦାସ ଯୋଗ ଦେଇ ମତପ୍ରକାଶ କରିଥିଲେ।

 


 

କନକ ନ୍ୟୁଜ୍‌ ‘ଉତ୍କର୍ଷ’ କାର୍ଯ୍ୟକ୍ରମ : ଲୋକଙ୍କୁ ସଚେତନ କରିବାକୁ ଡିଜିପିଙ୍କୁ ପରାମର୍ଶ

Mining officials attacked during raid in Balasore;

କନକ ନ୍ୟୁଜ୍‌ ‘ଉତ୍କର୍ଷ’ କାର୍ଯ୍ୟକ୍ରମ : ଲୋକଙ୍କୁ ସଚେତନ କରିବାକୁ ଡିଜିପିଙ୍କୁ ପରାମର୍ଶ

Midnight crackdown in Bolangir: Police seize vehicles

Leave a comment

Your email address will not be published. Required fields are marked *