ପେଟ୍ରୋଲ ଉପରେ ଟିକସ : ଏ ସମ୍ପର୍କରେ ଏକ ବିଜ୍ଞପ୍ତି ମେ ୧୫ରେ ଜାରି

କନକବ୍ୟୁରୋ : କେନ୍ଦ୍ର ସରକାର ପୁଣି ଥରେ ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ରପ୍ତାନି ଉପରେ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ (SAED)ର ହାର ସଂଶୋଧନ କରିଛନ୍ତି । ଏ ସମ୍ପର୍କରେ ଏକ ବିଜ୍ଞପ୍ତି ମେ ୧୫ରେ ଜାରି କରାଯାଇଛି। ଏହି ନୂତନ ଦର ଆଜି ଠାରୁ କାର୍ଯ୍ୟକାରୀ ହେବ। ପ୍ରଥମ ଥର ପାଇଁ ପେଟ୍ରୋଲ ଉପରେ ଟିକସ ଲଗାଯିବ। ସେପଟେ ରାଜ୍ୟରେ ମନ୍ତ୍ରୀ କହୁଛନ୍ତି, ତେଲ ଅଭାବ ନାହିଁ। ତୈଳ କମ୍ପାନି ବି ସମାନ କଥା ଦୋହରାଉଛନ୍ତି। ତଥାପି କାହିଁକି ସାରା ଓଡ଼ିଶାର ଲୋକ ନିଜର ସବୁ କାମଧନ୍ଦା ଛାଡ଼ି ଦୁଇ ଦିନ ହେଲା ପେଟ୍ରୋଲ ପମ୍ପରେ ଭିଡ଼ ଲଗାଇଛନ୍ତି? ଡହଡହ ଖରା ହେଉ କି ରାତି ଅଧ, ତେଲ ପାଇବାକୁ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ ପମ୍ପ ଆଗରେ ଠିଆ ହେଉଛନ୍ତି। ଏଭଳି ସ୍ଥିତି କାହିଁକି ଉପୁଜିଛି ତାହାର ଉତ୍ତରଦାୟିତ୍ବ ନେବାକୁ କେହି ପ୍ରସ୍ତୁତ ନୁହନ୍ତି। ସମସ୍ତେ ସଫେଇ ଦେଇ ଚୁପ୍ ହୋଇ ବସି ଯାଇଛନ୍ତି। ସେପଟେ ଲୋକଙ୍କ ଯନ୍ତ୍ରଣା ବଢ଼ିଚାଲିଛି। ସାରା ରାଜ୍ୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆମ୍ବୁଲାନ୍ସ ସେବାଠାରୁ ଆରମ୍ଭ କରି ସାଧାରଣ ପରିବହନ ପର୍ଯ୍ୟନ୍ତ ସବୁ କ୍ଷେତ୍ର ସାଂଘାତିକ ଭାବେ ପ୍ରଭାବିତ ହୋଇଛି।
ଦିନତମାମ ସରକାରୀ ସ୍ତରରେ ଘନଘନ ବୈଠକ ସମସ୍ୟାର ସମାଧାନ କରିପାରିନି। ତେଲ ସରିଯିବା ଭୟରେ ଲୋକମାନେ ଗତକାଲି ପରି ଆଜି ମଧ୍ୟ ପେଟ୍ରୋଲ ପମ୍ପରେ ଭିଡ଼ ଲଗାଇଥିଲେ। ଟାଙ୍କି ଖୋଲିବା ପୂର୍ବରୁ ରାତି ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିଥିଲା। ଭୁବନେଶ୍ବର, କଟକ, ପୁରୀ , ବାଲେଶ୍ବର, ରାଉରକେଲା, କେନ୍ଦ୍ରାପଡ଼ା ଓ ଜୟପୁର ସବୁଠି ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ବିଶେଷ କରି ରାସ୍ତା ପାର୍ଶ୍ବରେ ଥିବା ପେଟ୍ରୋଲ ପମ୍ପ ସାମନାରେ ହେଉଥିବା ଭିଡ଼ ପାଇଁ ଗାଡ଼ି ଚଳାଚଳ ପ୍ରଭାବିତ ହେବା ସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଧିକାଂଶ ସ୍ଥାନରେ ରାସ୍ତା ଜାମ ହୋଇ ଯାଇଥିଲା। ଆଜି ପୂର୍ବାହ୍ଣରେ ଲୋକସେବା ଭବନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ତେଲ ସ୍ଥିତିର ସମୀକ୍ଷା କରାଯାଇଥିଲା। ରାଜ୍ୟରେ ତେଲର କୌଣସି ଅଭାବ ନଥିବା ଏବଂ ଲୋକେ ଛାନିଆ ହୋଇ ତେଲ ନ କିଣିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଯୋଗାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ତୈଳ କମ୍ପାନିର ପ୍ରତିନିଧିଙ୍କ ସହ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। କମ୍ପାନିର ପ୍ରତିନିଧିମାନେ କହିଥିଲେ, ବର୍ତ୍ତମାନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ପ୍ରଚୁର ପରିମାଣରେ ଉପଲବ୍ଧ ରହିଛି। କିଛି ସ୍ଥାନରେ ପେଟ୍ରୋଲ ପମ୍ପରେ ତେଲ ଅଭାବର ଖବର ଆସୁଛି। ସମସ୍ୟାର ତ୍ୱରିତ୍ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ନେଇ ପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଛନ୍ତି। ବୈଠକରେ ତିନି ତେଲ କମ୍ପାନି ଇଣ୍ଡିଆନ୍ ଅଏଲ୍, ଏଚ୍ପିସିଏଲ୍, ବିପିସିଏଲ୍ର ପ୍ରତିନିଧି ଉପସ୍ଥିତ ଥିଲେ। ଅପରପକ୍ଷରେ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି ଯେ ଗତ ଚାରି ଦିନରେ ପେଟ୍ରୋଲ ପମ୍ପଗୁଡ଼ିକରେ ଦୁଇଗୁଣା ଅଧିକ ତେଲ ବିକ୍ରି ହୋଇଛି। ତେଲର କୌଣସି ଅଭାବ ନାହିଁ।
ସେହି ଚାହିଦା ପୂରଣ କରିବାକୁ ଯେତିକି ତେଲ ଦରକାର ତାହା ଯୋଗାଣ ହୋଇ ନ ପାରିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ତୈଳ ସଙ୍କଟର ପଛର ଆଉ ଏକ ସଙ୍ଗିନ କାରଣ ପଦାକୁ ଆସିଛି। ତେଲ କମ୍ପାନିଗୁଡ଼ିକ ଅଚାନକ ଏକାଧିକ ନିୟମରେ ପରବର୍ତ୍ତନ ଆଣିଛନ୍ତି, ଯାହା ତେଲ ସଙ୍କଟର ପ୍ରମୁଖ କାରଣ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଟାଙ୍କିଗୁଡ଼ିକ ପକ୍ଷରୁ କମ୍ପାନିରୁ ତେଲ କିଣିବା ନେଇ ପ୍ରାୟତଃ କୌଣସି କଟକଣା ନଥିଲା। ଚଳିତ ବର୍ଷ ମାର୍ଚ୍ଚରୁ ବିଭିନ୍ନ ତେଲ କମ୍ପାନି ନିୟମ ବଦଳାଇଛନ୍ତି। ପୂର୍ବରୁ କମ୍ପାନିଗୁଡ଼ିକ ତେଲଟାଙ୍କି ମାଲିକମାନଙ୍କୁ ସର୍ବନିମ୍ନ ୫ଦିନିଆ କ୍ରେଡିଟ୍ ସମୟସୀମା ଦେଉଥିଲେ। ଟାଙ୍କି ମାଲିକମାନେ କମ୍ପାନିରୁ ତେଲ କିଣିବା ପରେ ପ୍ରାୟ ୫ ଦିନ ପରେ ଦେୟ ପଇଠ କରୁଥିଲେ।
ମାର୍ଚ୍ଚରୁ ଏହି ନିୟମ ବଦଳିଯାଇଛି। ଏବେ ତୈଳ ସଙ୍କଟ ପାଇଁ ପ୍ରଥମେ ଟଙ୍କା ଦାଖଲ କରିବା ପରେ ଯାଇ କମ୍ପାନି ପକ୍ଷରୁ ତେଲ ଯୋଗାଇ ଦିଆଯାଉଛି। ସେହିଭଳି ମେ ୧ରୁ ନୂତନ ଭାବେ ‘ଅର୍ଡର ବ୍ଲକ୍’ ବ୍ୟବସ୍ଥା ଲାଗୁ ହୋଇଛି। ଏହା ମଧ୍ୟ ତେଲର ନିରନ୍ତର ଯୋଗାଣରେ ସମସ୍ୟା ସୃଷ୍ଟି କରିଛି। ଅପରପକ୍ଷରେ ତେଲ କମ୍ପାନିଗୁଡ଼ିକ ପକ୍ଷରୁ ଅଟୋମେଟିକ୍ ଲକିଂ ବ୍ୟବସ୍ଥା କରାଯାଇଛି। ଅର୍ଥାତ୍ ଜରୁରି ପରିସ୍ଥିତି ପାଇଁ ପେଟ୍ରୋଲ ୨୫୦୦ ଲିଟର ଓ ଡିଜେଲ ୨୫୦୦ ଲିଟର ଥିଲେ କମ୍ପାନି ପକ୍ଷରୁ ଅଟୋମେଟିକ ଲକ୍ କରି ଦିଆଯାଉଛି। ରାଜ୍ୟର ବିଭିନ୍ନ ଟାଙ୍କିରେ କେବଳ ରିଜର୍ଭ ତେଲ ଥିବାରୁ ତାହାକୁ ଲକ୍ କରିଦିଆଯାଇଛି। ତେବେ ଏ ସମ୍ପର୍କରେ ତେଲ କମ୍ପାନି କର୍ତ୍ତୃପକ୍ଷମାନେ ପ୍ରତିକ୍ରିୟା ଦେଇ ନାହାନ୍ତି।
English 































































































































































































































































































































































































































































































































































