ପୁଣି ଅଶାନ୍ତ ଭୁବନେଶ୍ୱର; ସାମନ୍ତରାପୁର ନୂଆଗାଁରେ ବୁଲିଲା ଖଣ୍ଡା

କନକ ବ୍ୟୁରୋ : ରାତି ହେଲେ ଛାତି ଥରୁଛି । ଘରୁ ବାହାରିବାକୁ ଡର ଲାଗୁଛି । କିଏ ଜାଣିଲା ଅସାମାଜିକଙ୍କ ଖଣ୍ଡା କେତେବେଳେ କାହା ଉପରେ ପଡ଼ିବ । ଗତ କିଛିଦିନ ହେବ କେଉଁଠି କଥା କଥାରେ ଖଣ୍ଡା ବୁଲାଉଛନ୍ତି ତ କେଉଁଠି ଘରେ ପଶି ହାଣୁଛନ୍ତି ।
କମିଶନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ରାଜଧାନୀରେ ବୁଲିଲା ଖଣ୍ଡା । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଯୁବକଙ୍କ ମୁଣ୍ଡ ଏବଂ ହାତରେ ଲାଗିଛି ଖଣ୍ଡା ଚୋଟ । ଭୁବନେଶ୍ୱର ସାମନ୍ତରାପୁର ନୂଆଗାଁରେ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏ ଘଟଣା । ଗୁରୁତର ଆହତ ଯୁବକଙ୍କ ନାଁ ସୁବୁନ ଧିର । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୁଲିସ ପହଞ୍ଚି ଆହତ ଯୁବକଙ୍କୁ ମେଡିକାଲ ନେବା ସହ ଘଟଣାର ଛାନଭିନ୍ ଚଳାଇଛି ।
ଅଧିକ ପଢ଼ନ୍ତୁ : ମାତିଛନ୍ତି ଲଘୁ ଖଣି ମାଫିଆ ; ବେଧଡ଼କ ହେଉଛି ବେଆଇନ ଚୋରାଚାଲାଣ
ଖାଲି ଏ ଘଟଣା ନୁହେଁ, ରାଜଧାନୀରେ ଗଲା କିଛିଦିନ ହେବ ଅପରାଧୀଙ୍କୁ ସାବାଡ଼ କରିବାରେ ବିଫଳ ପୁଲିସ । ଗତ ୧୨ ତାରିଖରେ ଦୁଇ ଦୁଇଟି ଆକ୍ରମଣ ଘଟଣା ସମସ୍ତଙ୍କ ଛାତି ଥରାଇଥିଲା । ଘାଟିକିଆ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ, ନୟାପଲ୍ଲୀ ମୁଣ୍ଡାସାହି ଅଞ୍ଚଳରେ ନିଶା କାରବାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିଲା ରକ୍ତାକ୍ତ ସଂଘର୍ଷ । ସେହିପରି ସହିଦ ନଗର ଶବର ସାହିରେ ସାମାନ୍ୟ କଥାରୁ ଯୁବକଙ୍କୁ ଛୁରି ଭୁସି ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ । ତା ସାଙ୍ଗକୁ ଇନ୍ଫୋଭ୍ୟାଲିରେ ଇଂଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ବନ୍ଧା ହୋଇଥିଲେ । ଉପରମୁହାଁ ଅପରାଧକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ପୁଲିସ ଅଧିକାରୀ ।
ଅଭ୍ୟାସଗତ ଅପରାଧୀଙ୍କ ଉପରେ ନଜର ରଖିଛି କି କମିସନରେଟ୍ ପୁଲିସ ? ଜେଲ୍ ଫେରନ୍ତା ଓ ଅସାମାଜିକଙ୍କୁ ସାବାଡ଼ କରିବା ପାଇଁ ନିଆଯାଉଛି କି ପଦକ୍ଷେପ ? କାହିଁକି ପ୍ରାୟ ସବୁଦିନ ରାଜଧାନୀ ଛାତିରେ ପଡ଼ୁଛି ରକ୍ତର ଛିଟା ? କେବେ ଆକ୍ସନ୍ ମୋଡ୍କୁ ଆସିବ ପୁଲିସ ? ଆଉ ନିଜକୁ ସୁରକ୍ଷିତ ମଣିବେ ରାଜଧାନୀ ବାସିନ୍ଦା ।
English 












































































































































































































































































































































































































































































