ଆସନ୍ତାବର୍ଷଠାରୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା : କେନ୍ଦ୍ର ଶିକ୍ଷା ମନ୍ତ୍ରୀ

କନକବ୍ୟୁରୋ : ଡାକ୍ତରୀ ଶିକ୍ଷା ପାଇଁ ଦେଶବ୍ୟାପୀ ଆୟୋଜିତ ହେଉଥିବା ନିଟ୍- ୟୁଜି ପରୀକ୍ଷା ଆସନ୍ତାବର୍ଷଠାରୁ କମ୍ପ୍ୟୁଟର ଆଧାରିତ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ପ୍ରଶ୍ନପତ୍ର ଲିକ୍ ଓ ଅନ୍ୟ ଅନିୟମିତତାକୁ ଦୃଷ୍ଟିରେ ରଖି ନିଟ୍- ୟୁଜି ପରୀକ୍ଷାକୁ ଆସନ୍ତାବର୍ଷଠାରୁ କମ୍ପ୍ୟୁଟର ଆଧାରିତ କରାଯିବ ବୋଲି ଶୁକ୍ରବାର ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଘୋଷଣା କରିଛନ୍ତି। ମେ ୩ ତାରିଖରେ ହୋଇଥିବା ନିଟ୍ -ୟୁଜି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ସେ ସ୍ବୀକାର କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଆମେ ଚାହୁଁ ନଥିଲୁ ଯେ କୌଣସି ଭୁଲ ପ୍ରାର୍ଥୀଙ୍କୁ ଚୟନ କରାଯାଉ। ସେଥିପାଇଁ ଆମେ ପରୀକ୍ଷା ବାତିଲ କରିବାର ଦାୟିତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ। ପରୀକ୍ଷା ଏବେ ଜୁନ୍ ୨୧ ତାରିଖ (ରବିବାର) ଅନୁଷ୍ଠିତ ହେବ। ଜୁନ୍ ୧୪ ତାରିଖରେ ନିଟ୍ ପୁନଃ ପରୀକ୍ଷାର ଆଡମିଟ୍ କାର୍ଡ଼ ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ଲିକ୍ ପଛର ମୁଖ୍ୟ କାରଣ ହେଉଛି ‘ଓଏମ୍ଆର୍’, ତେଣୁ ଆସନ୍ତାବର୍ଷଠାରୁ ଏହାକୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡରେ କରାଯିବ। ପ୍ରଧାନ କହିଛନ୍ତି, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପରୀକ୍ଷା ଶେଷ ହେବା ପରେ ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ ପାଇଥିଲା ଓ ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଥିଲା। ମେ ୩ ତାରିଖରେ ନିଟ୍ ପରୀକ୍ଷା ହେବା ପରେ ଏନ୍ଟିଏକୁ ମେ ୭ ତାରିଖରେ ଅଭିଯୋଗ ଆସିଥିଲା । ନିଟ୍ ପରୀକ୍ଷାରେ ଆସିଥିବା ପ୍ରଶ୍ନ ଓ ସମ୍ଭାବ୍ୟ ପ୍ରଶ୍ନପତ୍ରରେ ଥିବା କିଛି ପ୍ରଶ୍ନ ସମାନ ଥିବା ଅଭିଯୋଗ ହୋଇଥିଲା। ଶିକ୍ଷା ବିଭାଗ ତୁରନ୍ତ ମାମଲାର ତଦନ୍ତ କେନ୍ଦ୍ରୀୟ ଏଜେନ୍ସିଠାରୁ କରିଥିଲା ।
୧୨ ମେରେ ପ୍ରଶ୍ନପ୍ରତ୍ନ ଲିକ୍ ହୋଇଥିବା ଆମେ ସ୍ପଷ୍ଟ ହୋଇଥିଲୁ। ସମ୍ଭାବ୍ୟ ପ୍ରଶ୍ନପତ୍ର ନାଁରେ ପ୍ରକୃତ ପ୍ରଶ୍ନପତ୍ର ଲିକ୍ କରାଯାଇଥିଲା ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି କହିଥିଲେ, ଆମେ ଚାହୁଁ ନଥିଲୁ ଯେ କୌଣସି ଯୋଗ୍ୟ ଛାତ୍ର ଜାଲିଆତି କରୁଥିବା ପ୍ରାର୍ଥୀଙ୍କ ଚକ୍ରାନ୍ତ କିମ୍ବା ଶିକ୍ଷା ମାଫିଆଙ୍କ ଷଡ଼ଯନ୍ତ୍ର ଯୋଗୁଁ ସେମାନଙ୍କ ଅଧିକାରରୁ ବଞ୍ଚିତ ହୁଅନ୍ତୁ। ବିଭିନ୍ନ ସମାଜିକ ଗଣମାଧ୍ୟମରେ ମିଥ୍ୟା ପ୍ରଚାର କରାଯାଉଛି, ସରକାରୀ ବ୍ୟବସ୍ଥାକୁ ଚାଲେଞ୍ଜ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଘଟଣାର ତଦନ୍ତଭାର ସିବିଆଇକୁ ଦିଆଯାଇଛି ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆମେ ପରୀକ୍ଷାର୍ଥୀଙ୍କ ପାଇଁ ଦୁଃଖିତ, କିନ୍ତୁ ଦେଶର ହିତ ପାଇଁ ଆମେ ଏହି କଷ୍ଟକର ନିଷ୍ପତ୍ତି ନେଇଛୁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି। ଏହାପୂର୍ବରୁ ଏନ୍ଟିଏ ଜୁନ୍ ୨୧ରେ ନିଟ୍ -ୟୁଜି ପୁନଃ ପରୀକ୍ଷା ହେବ ବୋଲି ଘୋଷଣା କରିଥିଲା।
English 





















































































































































































































































































































































































