ଜୁନ ୨୧ରେ ନିଟ-ୟୁଜି ପୁନଃ ପରୀକ୍ଷା ଘୋଷଣା କଲା ଏନଟିଏ

କନକ ବ୍ୟୁରୋ : ଜୁନ ୨୧ରେ ହେବ ନିଟ-ୟୁଜି ପରୀକ୍ଷା । ପ୍ରଶ୍ନପ୍ରତ୍ର ଲିକ ଯୋଗୁ ବାତିଲ ହୋଇଥିଲା ପରୀକ୍ଷା । ଆଜି ଜାତୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ନୂଆ ତାରିଖ ଘୋଷଣା କରିଛି । ଏନଟିଏ ପକ୍ଷରୁ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲ୍ ମାଧ୍ୟମରେ ସୂଚନା ଦିଆଯାଇଛି । ଏଜେନ୍ସି କହିଛି ଯେ ଭାରତ ସରକାରଙ୍କ ଅନୁମୋଦନ କ୍ରମେ ରବିବାର, ୨୧ ଜୁନ୍ ୨୬ ପୁନଃ ପରୀକ୍ଷା କରାଯିବାର ନିଷ୍ପତ୍ତି ନିଆଯାଇଛି । ଏନଟିଏ ପ୍ରାର୍ଥୀ ଓ ଅଭିଭାବକଙ୍କୁ ପରାମର୍ଶ ଦେଇଛି ଯେ ପରୀକ୍ଷା ସମ୍ବନ୍ଧୀୟ ଯେକୌଣସି ସୂଚନା ପାଇଁ କେବଳ ତାଙ୍କ ଅଫିସିଆଲ୍ ଯୋଗାଯୋଗ ମାଧ୍ୟମଗୁଡ଼ିକୁ ବିଶ୍ୱାସ କରନ୍ତୁ ।
ଅଧିକ ପଢ଼ନ୍ତୁ : NEET ପରୀକ୍ଷା ବନ୍ଦ କର, 12th ମାର୍କରେ ଆଡମିସନ୍ ଦିଅ : ପେପର୍ ଲିକକୁ ନେଇ ବିଜୟଙ୍କ ମନ୍ତବ୍ୟ
ପରୀକ୍ଷାର୍ଥୀଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ୦୧୧-୪୦୭୫୯୦୦୦ ଏବଂ ୦୧୧-୬୯୨୨୭୭୦୦ ଜାରି କରିଛି ଏନଟିଏ । ମେ ୩ ତାରିଖରେ ହୋଇଥିବା ଏହି ପରୀକ୍ଷାରେ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପ୍ରଶ୍ନପତ୍ର ଲିକ ଯୋଗୁ କିଛି ଦିନ ତଳେ ପରୀକ୍ଷା ବାତିଲ ହୋଇଥିଲା । ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ ମାମଲାର ତଦନ୍ତ କରିବା ସହ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିଛି ।
English 















































































































































































































































































































































