#Local

ଜଳୁଛି ଭାଟି, ବଢ଼ୁଛି ତାତି; ପ୍ରଶାସନର କଟକଣାକୁ ବେଖାତିର

କନକ ବ୍ୟୁରୋ : ରାଜ୍ୟ ସରକାର ବାୟୁ ପ୍ରଦୂଷଣ ରୋକିବା ଏବଂ ମୃତ୍ତିକା ସଂରକ୍ଷଣ ପାଇଁ ମାଟି ଇଟା ଉପରେ କଟକଣା ଲଗାଇଛନ୍ତି । ଏହା ବଦଳରେ ‘ଫ୍ଲାଏ-ଆସ୍’ ଇଟା ବ୍ୟବହାର ପାଇଁ ପରାମର୍ଶ ଦିଆଯାଉଛି । କିନ୍ତୁ ବଲାଙ୍ଗୀର ଜିଲ୍ଲା ଦେଓଗାଁ ତହସିଲ ଅଞ୍ଚଳରେ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଏଠାରେ ନିୟମକୁ ଫୁ’ କରି ଚାଲିଛି ବେଆଇନ ଇଟା ବ୍ୟବସାୟ । ଅଭିଯୋଗ ହେଉଛି ଯେ, ରାଜସ୍ୱ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅଞ୍ଚଳରେ ଇଟା ମାଫିଆ ରାଜ୍ ଚାଲିଛି । ରାତି ଦିନ ଜଳୁଛି ଭାଟି, ଆଉ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା ।

ଦେଓଗାଁ ତହସିଲ ଅଧୀନରେ ଥିବା ୯ଟି ଆର.ଆଇ ସର୍କଲର ପ୍ରାୟ ୯୫ରୁ ଅଧିକ ଗାଁରେ ହଜାରେରୁ ଅଧିକ ବେଆଇନ ଇଟାଭାଟି ଗଢ଼ି ଉଠିଛି । ଜରାସିଂହା, ରାମଚନ୍ଦ୍ରପୁର, ବନ୍ଧପଡ଼ା, ମହଲାଇ, କୁତୁର୍ଲା ଭଳି ଅଞ୍ଚଳରେ ଇଟା ମାଫିଆଙ୍କ ପ୍ରାଦୁର୍ଭାବ ସବୁଠୁ ଅଧିକ । ବିଶେଷ କରି ମହଲାଇ ଆର.ଆଇ ଅଧୀନ କୁକୁରଖାଇ ପୋଖରୀ ନିକଟ ଏବଂ ଜରାସିଂହା ଆର.ଆଇ ଅଧୀନ ବ୍ରାହ୍ମଣୀପାଲି ସ୍କୁଲ ପଛପଟେ ଲକ୍ଷ ଲକ୍ଷ ଇଟା କାଠରେ ପୋଡ଼ା ଯାଉଥିବା ଦେଖିବାକୁ ମିଳୁଛି । ତେବେ ପ୍ରଶ୍ନ ଉଠୁଛି, ତହସିଲ ଅଫିସରୁ ମାତ୍ର କିଛି କିଲୋମିଟର ଦୂରରେ ବେଆଇନ କାରବାର ଚାଲିଥିଲେ ମଧ୍ୟ ପ୍ରଶାସନ କେମିତି ଜାଣିପାରୁନି ?

ଅଧିକ ପଢ଼ନ୍ତୁ : ପିସି ଯାତନାରେ ଛଟପଟ ପୂର୍ବତନ ସରପଞ୍ଚ; ସରକାରଙ୍କୁ ଗୁହାରି କଲେ ‘ମୋତେ ମୃତ୍ୟୁ ଦିଅ’

କେବଳ ପ୍ରଦୂଷଣ ନୁହେଁ, ଏହି ଇଟାଭାଟି ପାଇଁ ଜଙ୍ଗଲ ଓ ବନ୍ୟଜନ୍ତୁ ମଧ୍ୟ ବିପଦରେ । ମାଟି ମାଫିଆମାନେ ବନ୍ୟଜନ୍ତୁଙ୍କ ପାଇଁ ଉଦ୍ଦିଷ୍ଟ ପୋଖରୀକୁ ଶୁଖାଇ ସେଠାରେ ଇଟା ଗଢ଼ୁଛନ୍ତି । ଇଟା ପୋଡ଼ିବା ପାଇଁ କଟର ସାହାଯ୍ୟରେ ରେଙ୍ଗାଳ, କେନ୍ଦୁ ଏବଂ ମହୁଲ ଭଳି ମୂଲ୍ୟବାନ ଗଛକୁ କାଟି ପଦା କରିଦେଉଛନ୍ତି । ବିଳାସପୁର, ଘାଟୁଳ ଡୁଙ୍ଗୁରି ଓ ଲଣ୍ଡା ପଥର ଭଳି ଜଙ୍ଗଲ ଏବେ ଶୂନ୍ୟ ହେବାକୁ ବସିଲାଣି । ବନ ବିଭାଗ ଏବଂ ସ୍ଥାନୀୟ ରେଞ୍ଜରଙ୍କ ନିରବତା ଏବେ ଅନେକ ସନ୍ଦେହ ସୃଷ୍ଟି କରୁଛି ।

ଏ ସମ୍ପର୍କରେ ଦେଓଗାଁ ତହସିଲଦାରଙ୍କ ଉତ୍ତର ଆଶ୍ଚର୍ଯ୍ୟ କରିବା ଭଳି । କିଛି ଜାଣିନାହାନ୍ତି ବୋଲି କହିବା ସହ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିବାକୁ ସେ ସିଧା ସିଧା ମନା କରିଦେଇଛନ୍ତି । ପ୍ରଶାସନର ଏଭଳି ମନୋଭାବ ଇଟା ମାଫିଆ ଏବଂ ରାଜସ୍ୱ ବିଭାଗ ମଧ୍ୟରେ କୌଣସି ଗୁପ୍ତ ବୁଝାମଣା ଥିବା ଭଳି ସନ୍ଦେହକୁ ବଳ ଯୋଗାଉଛି । ରାଜସ୍ୱ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗିବ ? ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କେବେ ?

ଜଳୁଛି ଭାଟି, ବଢ଼ୁଛି ତାତି; ପ୍ରଶାସନର କଟକଣାକୁ ବେଖାତିର

Giant new dinosaur identified from fossils in

ଜଳୁଛି ଭାଟି, ବଢ଼ୁଛି ତାତି; ପ୍ରଶାସନର କଟକଣାକୁ ବେଖାତିର

War criminal Ratko Mladić’s jail release request

Leave a comment

Your email address will not be published. Required fields are marked *