ଗଞ୍ଜେଇ କାରବାର ପଛରେ ପୁଲିସ୍ ! ଡିଲ୍ କରି ଫସିଗଲେ ବାବୁ

କନକ ବ୍ୟୁରୋ : ବାଲିଅନ୍ତା ଘଟଣାକୁ ନେଇ ପୁଲିସ କାଠଗଡ଼ାରେ ଥିବା ବେଳେ ଏବେ ଏଇ ବାବୁମାନଙ୍କ ପାଇଁ ପୁଲିସ୍ ବଦନାମ । ରାଜ୍ୟକୁ ନିଶାମୁକ୍ତ କରିବାକୁ ଡିଜି ଆହ୍ୱାନ ଦେଇଥିବାବେଳେ ଏମାନେ ତାର ଓଲଟା କାର୍ଯ୍ୟ କରୁଥିଲେ । ନିଶା କାରବାର ରୋକିବା ବଦଳରେ ସିଧାସଳଖ ଗଞ୍ଜେଇ ମାଫିଆଙ୍କ ସହ ଡିଲ୍ କରୁଥିଲେ ।
ଗଞ୍ଜେଇ ମାଫିଆଙ୍କୁ ୨୫ ଲକ୍ଷ ଟଙ୍କା ମାଗୁଥିଲେ ପୁଲିସ ବାବୁ । ରାତାରାତି ଡିଲ୍ କରି ଗଞ୍ଜେଇ ଟ୍ରକକୁ ସୀମା ପାର୍ କରାଇବାକୁ ଚାଲିଥିଲା ଯୋଜନା । ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଚାଲିଥିଲା କ୍ରାଇମ୍ ମିଟିଂ, ଆଉ ନିଜେ ଖାକି ବାବୁ କରୁଥିଲେ କ୍ରାଇମ୍ । ଏବେ ଧରାପଡ଼ିବା ପରେ ନିଆଯାଇଛି ଆକ୍ସନ । ଝାରବନ୍ଧର ଦୁଇ ପୁଲିସ କର୍ମଚାରୀ ଏଏସଆଇ କୌଶିକ ସାହୁ ଓ କନଷ୍ଟେବଳ ଚିତ୍ତରଞ୍ଜନ ପଣ୍ଡାଙ୍କୁ ସସପେଣ୍ଡ କରାଯାଇଛି । ହୋମଗାର୍ଡ ହେବାର୍ଚ୍ଚନ ନିଆଳଙ୍କୁ ବହିଷ୍କୃତ କରାଯାଇଥିବା ବେଳେ ବଦଳି ହୋଇଛନ୍ତି ଝାରବନ୍ଧ ଆଇଆଇସି ଶୁକ୍ରା ମାଢ଼ି । କିନ୍ତୁ ଆଇଆଇସି ବାବୁଙ୍କ ପ୍ରତି ଏସପିଙ୍କ କୋହଳ ମନୋଭାବ ଏବେ ବରଗଡ଼ରେ ଚର୍ଚ୍ଚାର ବିଷୟ ହୋଇଛି । ତଳିଆ କର୍ମଚାରୀଙ୍କୁ ନିଲମ୍ବନ, କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ବେଳେ ଆଇଆଇସିଙ୍କୁ କେବଳ ବଦଳି କରିବାକୁ ନେଇ ପ୍ରଶ୍ନ ଉଠିଛି ।
ଅଧିକ ପଢ଼ନ୍ତୁ : ଖରିଫ୍ ଋତୁ ପାଇଁ ବଢ଼ିଲା ଏମ୍ଏସ୍ପି; ଲାଭ ପାଇବେ ତ ଓଡ଼ିଶା ଚାଷୀ ?
୬ ତାରିଖ ରାତିରେ ଏକ ଗଞ୍ଜେଇ ବୋଝେଇ ଟ୍ରକ ଉତ୍ତରପ୍ରଦେଶ ଯାଉଥିବା ବେଳେ ଛତିଶଗଡ଼ ସୀମାନ୍ତ ଝାରବନ୍ଧରେ ଅଟକାଇଥିଲା ପୁଲିସ । କାଜୁ ଚୋପା ଆଳରେ ୧୯ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିଲା । ଯାହାର ଆନୁମାନିକ ମୂଲ୍ୟ ୪ କୋଟିରୁ ଊର୍ଦ୍ଧ୍ୱ ହେବ । ଆଉ ଏହି ଗଞ୍ଜେଇ ଚାଲାଣରେ ସାମିଲ ଥିଲେ ଜଣେ ସରପଞ୍ଚ । ତେଣୁ ପୁଲିସ ବାବୁମାନେ ଡିଲ୍ କରିଥିଲେ । କହିଥିଲେ ୨୫ ଲକ୍ଷ ଦେଲେ ସୀମା ପାର୍ ହେବ ଟ୍ରକ । କିନ୍ତୁ ଡିଲ୍ ବିଷୟରେ ପୁଲିସ ମୁଖ୍ୟାଳୟକୁ ଖବର ପହଞ୍ଚିଯିବାରୁ ଫେଲ୍ ମାରିଥିଲା ଡିଲ୍ ।
ଗୋଟିଏ ପଟେ ରାଜ୍ୟରେ ବିପର୍ଯ୍ୟନ୍ତ ଆଇନଶୃଙ୍ଖଳାକୁ ନେଇ ସରକାର ଘନଘନ ସମୀକ୍ଷା କରୁଛନ୍ତି । ଏପରି ସ୍ଥିତିରେ ବରଗଡ଼ରେ ପୁଲିସ ବାବୁଙ୍କ କାରନାମା ପାଇଁ ପୂରା ବିଭାଗ ସହ ସରକାର ବଦନାମ ହୋଇଛନ୍ତି ।
English 






































































































































































































































































