ଜୟପୁର-ମାଲକାନଗିରି ରେଳପଥ ନିର୍ମାଣକୁ ନେଇ ଜମିହରାଙ୍କ ଅସନ୍ତୋଷ, ଉଚିତ୍ ପ୍ରାପ୍ୟ ପାଇଁ ତହସିଲ ଅଫିସ ଘେରିଲେ ଜମିହରା

କନକ ବ୍ୟୁରୋ : ଜୟପୁର-ମାଲକାନଗିରି ନୂତନ ରେଳପଥ ନିର୍ମାଣକୁ ନେଇ ସରକାର ଓ ଜମିହରା ଚାଷୀଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି। ଶାଗମାଛ ଦରରେ ସରକାରୀ ଚାଷୀର ଜମି ନେବାକୁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଜମିହରା ସଂଘ ପକ୍ଷରୁ ବୈପାରୀଗୁଡ଼ା ତହସିଲ ଅଫିସରେ ପହଞ୍ଚି ଦାବି ପତ୍ର ପ୍ରଦାନ କରାଯାଇଛି।
ବୈପାରୀଗୁଡ଼ା ତହସିଲ ଅଫିସ ପରିସରରେ ଶହଶହ ଚାଷୀଙ୍କ ଏହି ଭିଡ଼ ଦର୍ଶାଉଛି ସେମାନଙ୍କ ଅସନ୍ତୋଷ। ଜୟପୁରରୁ ମାଲକାନଗିରିକୁ ସଂଯୋଗ କରୁଥିବା ନୂତନ ରେଳ ଲାଇନ୍ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବୈପାରୀଗୁଡ଼ାରେ ଚଞ୍ଚକତା କରି ଶାଗ ମାଛ ଦରରେ ସରକାର ଜମି ଅଧିଗ୍ରହଣ କରିବାକୁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ଏହାକୁ ତୀବ୍ର ବିରୋଧ କରିଛି ଜବିହରା ସଂଘ। ତହସିଲ କାର୍ୟ୍ୟାଳୟରେ ପହଞ୍ଚି ଉଚିତ୍ ପ୍ରାପ୍ୟ ଦେବାକୁ ଦାବି କରି ସଂଘ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମାଥିଲି, ମାଲକାନଗିରି, ନବରଙ୍ଗପୁରରେ ଏକର ପିଛା ୩ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଉଛି। ତେଣୁ ସଂଘର ଦାବି ଅନୁଯାୟୀ,ଜୟପୁରରୁ ମାଲକାନଗିରି ପର୍ୟ୍ୟନ୍ତ ଯେଉଁ ଦର ଦିଆଯାଇଛି, ସେହି ଅନୁସାରେ ସମସ୍ତଙ୍କୁ ମୂଲ୍ୟ ମିଳୁ ଜମି ହରାଉଥିବା ପରିବାରର ସଦସ୍ୟଙ୍କୁ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ ବ୍ୟବସ୍ଥା ରେଳପଥ ପାଇଁ ଜମି ହରାଉଥିବା ପରିବାରକୁ ସରକାରୀ ଜମି ଓ ଘରବାରି ପଟ୍ଟା ପ୍ରଦାନ କରାଯାଉ
ଯଦି ସରକାର ଉପରିସ୍ଥ ୩ଟି ଦାବି ପୂରଣ କରିବାରେ ଅସମର୍ଥ, ତେବେ ଚାଷୀଙ୍କୁ ସେମାନଙ୍କ ଘରର ୨ କିଲୋମିଟର ପରିଧି ମଧ୍ୟରେ ସମତୁଲ୍ୟ ଚାଷ ଜମି ଯୋଗାଇଦେବାକୁ ଦାବି କରାଯାଇଛି। ଚାଷୀଙ୍କ କହିବା କଥା, ଆଦିବାସୀ ଓ ଅଶିକ୍ଷିତ ହୋଇଥିବାରୁ ସେମାନଙ୍କ ସରଳତାର ସୁଯୋଗ ନେଉଛି ପ୍ରଶାସନ।
ସରକାର ଯଦି ବିନା ପଲ୍ଲୀସଭା ଏବଂ ଜନଶୁଣାଣିରେ ଚଞ୍ଚକତା କରି ଜମି ନେବାକୁ ପ୍ରୟାସ କରନ୍ତି ତେବେ ଜମିହରା ସଂଘ ଆଇନର ଆଶ୍ରୟ ନେବା ସହ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ଏବେ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
English 


































































































































































































































