ବସଷ୍ଟାଣ୍ଡରେ ଘରୋଇ ବସ୍ ମାଲିକଙ୍କ ରାଜୁତି, ପୂରାଇ ଦେଉନାହାନ୍ତି ସରକାରୀ ବସ୍

କନକ ବ୍ୟୁରୋ: ନିଜ ଘରେ ନିଜେ ଅତିଥି। ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ବି ଏମିତି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ। କୋଟି କୋଟି ଟଙ୍କାର ସରକାରୀ ବସଷ୍ଟାଣ୍ଡ, ହେଲେ ସେଠି ସରକାରୀ ବସକୁ ପ୍ରବେଶ ମନା। ଖରାରେ ସନ୍ତୁଳି ହେଉଛନ୍ତି ଯାତ୍ରୀ, ହେଲେ ବସଷ୍ଟାଣ୍ଡ ଭିତରକୁ ଯାଇପାରୁନି ଲକ୍ଷ୍ମୀ କି ମୋ ବସ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବସ୍ ଷ୍ଟାଣ୍ଡରୁ ବିଭିନ୍ନ ରୁଟ୍କୁ ୧୧ରୁ ଅଧିକ ଓଏସଆରଟିସିର ବସ୍ ଚଳାଚଳ କରୁଛି। ହେଲେ ଦୁର୍ଭାଗ୍ୟର କଥା, ଏଠାରେ ଆଜି ଯାଏଁ ସରକାରୀ ଟିକେଟ୍ କାଉଣ୍ଟର ନାହିଁ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାର ୩୬ଟି ବସ୍ ବିଭିନ୍ନ ବ୍ଲକ ଓ ପଞ୍ଚାୟତକୁ ସଂଯୋଗ କରୁଛି। ସେଥିମଧ୍ୟରୁ ୪ଟି ଆମ ବସ ପାରଳାଖେମୁଣ୍ଡି ସହର ଦେଇ ଚଳାଚଳ କରୁଛି। କିନ୍ତୁ କୌଣସ ବି ସରକାରୀ ବସ ଗୁଡ଼ିକୁ ବସଷ୍ଟାଣ୍ଡ ଭିତରକୁ ପୂରାଇ ଦିଆଯାଉନାହିଁ। ବସଷ୍ଟାଣ୍ଡଟି ସମ୍ପୂର୍ଣ୍ଣ ଭାବେ ଘରୋଇ ବସ୍ ମାଲିକଙ୍କ ନିୟନ୍ତ୍ରଣରେ ରହିଥିବା ଅଭିଯୋଗ ହୋଇଛି। ପ୍ରଚଣ୍ଡ ଖରାରେ ରାସ୍ତା କଡ଼ରେ ଛିଡ଼ା ହୋଇ ପିଲାଛୁଆଙ୍କୁ ଧରି ନାହିଁ ନଥିବା ହଇରାଣ ହେଉଛନ୍ତି ଯାତ୍ରୀ।
ଖାଲି ଯାତ୍ରୀ ନୁହନ୍ତି, ବସ କର୍ମଚାରୀଙ୍କ ଅବସ୍ଥା ବି ଶୋଚନୀୟ। ସେମାନଙ୍କ ପାଇଁ ନା ଅଛି ବିଶ୍ରାମ କକ୍ଷ, ନା ଅଛି ଶୌଚାଳୟ। ସବୁଠୁ ବଡ଼ ବିଡ଼ମ୍ବନା ହେଉଛି, ଗତ ୧୧ ବର୍ଷ ଧରି ଓଏସ୍ଆରଟିସିର କାର୍ୟ୍ୟାଳୟ ଏକ ଭଡ଼ା ଘରେ ଚାଲିଛି। ସରକାରୀ ସେବାକୁ ପ୍ରୋତ୍ସାହନ ଦେବା ବଦଳରେ ଏଠାରେ ସରକାରୀ ବସକୁ ‘ବାସନ୍ଦ’ କରାଯାଇଛି। ଜିଲ୍ଲା ସଡ଼କ ସୁରକ୍ଷା ବୈଠକରେ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ନିଦ ଭାଙ୍ଗୁନି। କେବେ ସମସ୍ୟାର ସ୍ଥାୟୀ ସମାଧାନ ହେବ? କେବେ ସରକାରୀ ବସଷ୍ଟାଣ୍ଡକୁ ପ୍ରବେଶ କରିବ ସରକାରୀ ବସ? ଆଉ ରାସ୍ତା କଡ଼ରୁ ମୁକ୍ତି ପାଇବେ ଅସହାୟ ଯାତ୍ରୀ। ତାକୁ ଅପେକ୍ଷା।
English 


































































































































































































































