ସହରଠୁ ଗାଁ, ସବୁଠି ଲମ୍ବା ଲାଇନ୍; ଅଧିକାଂଶ ପେଟ୍ରୋଲ ପମ୍ପରେ ମିଳୁନି ତେଲ

କନକ ବ୍ୟୁରୋ : ମଧ୍ୟ ପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସାରା ବିଶ୍ୱରେ ତୈଳ ସଙ୍କଟ ଓ ଦରଦାମ ବୃଦ୍ଧି ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି । ଏହି ବିଶ୍ୱସ୍ତରୀୟ ସଙ୍କଟର ସିଧାସଳଖ ପ୍ରଭାବ ଏବେ ଭାରତୀୟ ବଜାର ସମେତ ଓଡ଼ିଶାରେ ମଧ୍ୟ ପରିଲକ୍ଷିତ ହେଉଛି । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ- ରାଜ୍ୟର ସବୁଠି ଏବେ ପେଟ୍ରୋଲ ସଂକଟ ତୀବ୍ର ହେବାରେ ଲାଗିଛି ।
ରାଜ୍ୟର ପ୍ରମୁଖ ସହର ଓ ଗ୍ରାମାଞ୍ଚଳରୁ ଆସୁଥିବା ଚିତ୍ର ଅତ୍ୟନ୍ତ ଚିନ୍ତାଜନକ । କଟକ, ଭୁବନେଶ୍ବର, ପୁରୀ, ବାଲେଶ୍ବର, ଜୟପୁର ଏବଂ ହାଟଡିହି ଭଳି ବିଭିନ୍ନ ଅଞ୍ଚଳରେ ଗ୍ରାହକମାନେ ପେଟ୍ରୋଲ ଓ ଡିଜେଲ ପାଇଁ ଟାଙ୍କି ଆଗରେ ଲମ୍ବା ଲାଇନ୍ରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି । ତେବେ ସବୁଠୁ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ପେଣ୍ଠକଟାରେ । ପେଣ୍ଠକଟାରେ ଥିବା ପେଟ୍ରୋଲ ପମ୍ପ ଆଗରେ ବଡ଼ ବଡ଼ ବ୍ୟାରେଲ ଧରି ମତ୍ସ୍ୟଜୀବୀମାନେ ଠିଆ ହୋଇଛନ୍ତି । ସମୁଦ୍ରକୁ ଯିବାକୁ ବୋଟ୍ରେ ଡିଜେଲ ଦରକାର । ଆଉ ଜୀବିକା ପାଇଁ ବାଧ୍ୟ ହୋଇ ବ୍ୟାରେଲ ଧରି ମତ୍ସ୍ୟଜୀବୀ ଆସିଥିବା କୁହନ୍ତି । ତେଲ ପାଇଁ ପୂରା ରାଜ୍ୟରେ ହାହାକାର ସ୍ଥିତି ।
ପେଟ୍ରୋଲ ଡିଜେଲ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଅଧିକାଂଶ ପେଟ୍ରୋଲ ପମ୍ପରେ ‘ନୋ ଷ୍ଟକ୍’ ନୋଟିସ ଲାଗିଥିବା ବେଳେ, ଅନ୍ୟ କେତେକ ଟାଙ୍କିରେ ଗ୍ରାହକମାନଙ୍କୁ ସୀମିତ ପରିମାଣର ତେଲ ଦିଆଯାଉଛି । ଗାଡ଼ି ଚାଳକଙ୍କ ମଧ୍ୟରେ ଆଗକୁ ତେଲ ସମ୍ପୂର୍ଣ୍ଣ ଶେଷ ହୋଇଯିବା ଭୟରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି, ଯାହା ଯୋଗୁଁ ପମ୍ପଗୁଡ଼ିକରେ ଅହେତୁକ ଭିଡ଼ ଜମୁଛି ।
English 




















































































































































































































