ବ୍ରିକ୍ସ ସମ୍ମିଳନୀରେ ଜୟଶଙ୍କର: ଭାରତ ଦୁଇ ରାଷ୍ଟ୍ର ସମାଧାନକୁ ସମର୍ଥନ କରେ

କନକ ବ୍ୟୁରୋ : ବ୍ରିକ୍ସ ଦେଶମାନଙ୍କ ବିଦେଶ ମନ୍ତ୍ରୀଙ୍କ ବୈଠକ ନୂଆଦିଲ୍ଲୀଠାରେ ଗୁରୁବାରଠାରୁ ଆରମ୍ଭ ହୋଇଛି। ଗୁରୁବାର ଓ ଶୁକ୍ରବାର ଚାଲିବାକୁ ଥିବା ଏହି ବୈଠକରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ପଶ୍ଚିମ ଏସିଆ ଲାଗିରହିଥିବା ବିବାଦ ପରେ ଚିନ୍ତାପ୍ରକଟ କରିଛନ୍ତି। ଜୟଶଙ୍କର କହିଛନ୍ତି ଯେ, ଭାରତ ପାଲେଷ୍ଟାଇନ୍ ପ୍ରସଙ୍ଗରେ ଦୁଇ ରାଷ୍ଟ୍ର ସମାଧାନକୁ ସମର୍ଥନ କରେ। ଜୟଶଙ୍କର ଫେବ୍ରୁଆରି ୨୮ରୁ ଆରମ୍ଭ ହୋଇଥିବା ଉତ୍ତେଜନାମୂଳକ ସ୍ଥିତି ଉପରେ ଜୋର ଦେଇ କହିଛନ୍ତି ଯେ, ପଶ୍ଚିମ ଏସିଆ ବିବାଦ ଉପରେ ଧ୍ୟାନ ଦେବା ଜରୁରୀ। ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିବା, ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଯୋଗୁ ସାମୁଦ୍ରିକ ପରିବହନ ଓ ଶକ୍ତି ଭିତ୍ତିଭୂମି ପ୍ରତି ବିପଦ ରହିଛି। ଏହା ଦୁର୍ବଳ ସୁରକ୍ଷାଗତ ପରିବେଶକୁ ସୂଚିତ କରୁଛି। ଲେବାନନ୍, ସିରିୟା, ସୁଦାନ, ୟେମେନ୍ ଓ ଲିବ୍ୟା ପରି ଦେଶରେ ଅସ୍ଥିରତା ଲାଗି ରହିଛି। ଲେବାନନ୍ ଓ ସିରିୟାରେ ନିରନ୍ତର ଆହ୍ବାନପୂର୍ଣ୍ଣ ସ୍ଥିତି ଲାଗି ରହିଛି। ସୁଦାନର ସଂଘର୍ଷ ଲୋକଙ୍କ ପାଇଁ ପ୍ରତିକୂଳ ପରିବେଶ ସୃଷ୍ଟି କରୁଛି। ୟେମେନରେ ମାନବିକ ସଙ୍କଟ ଓ ସାମୁଦ୍ରିକ ବିପଦ ରହିଛି। ଲିବ୍ୟାରେ ସ୍ଥିରତା ବିପଦରେ ରହିଛି। ଜୟଶଙ୍କର କହିଛନ୍ତି ଯେ, ଏହି ସଙ୍କଟ ପାଇଁ ଏକ ନିରନ୍ତର ଅନ୍ତର୍ଜାତୀୟ ସହଯୋଗ ଏବଂ କୂଟନୈତିକ ସମ୍ପର୍କ ଆବଶ୍ୟକ।
ବିଦେଶ ମନ୍ତ୍ରୀ ଜୟଶଙ୍କର କହିଥିଲେ ଯେ, ଏହା ମିଳିତ ଭାବେ ଦର୍ଶାଉଛି ଯେ, ସ୍ଥିରତା ଚୟନଯୋଗ୍ୟ ହୋଇପାରିବ ନାହିଁ। ଶାନ୍ତି ଖଣ୍ଡ ଖଣ୍ଡ ହୋଇପାରିବ ନାହିଁ। ଅନ୍ତର୍ଜାତୀୟ ଆଇନକୁ ବଜାୟ ରଖିବା, ନାଗରିକମାନଙ୍କୁ ସୁରକ୍ଷା ଦେବା ଓ ସାର୍ବଜନୀନ ଭିତ୍ତିଭୂମିକୁ ଟାର୍ଗେଟ କରିବାରୁ ଏଡାଇବା ଅତ୍ୟନ୍ତ ଜରୁରୀ। ଭାରତ ଉତ୍ତେଜନା ହ୍ରାସ ପ୍ରୟାସରେ ଗଠନମୂଳକ ଭାବରେ ଯୋଗଦାନ ଦେବାକୁ ଓ ସ୍ଥିରତା ଫେରାଇ ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ପଦକ୍ଷେପକୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛି ବୋଲି ଜୟଶଙ୍କର କହିଛନ୍ତି।
English 




















































































































































































































