ବନ ବିଭାଗର ବର୍ବରତା : ଓଡ଼ିଶାର ବୃଦ୍ଧଙ୍କୁ ଛତିଶଗଡ଼ ବନ କର୍ମଚାରୀଙ୍କ ନିର୍ଯାତନା

କନକ ବ୍ୟୁରୋ : ବନ ବିଭାଗର ବର୍ବରତା । ଓଡ଼ିଶାର ବୃଦ୍ଧଙ୍କୁ ଛତିଶଗଡ଼ ବନ କର୍ମଚାରୀଙ୍କ ନିର୍ଯାତନା । ଛତିଶଗଡ଼ ବନ ବିଭାଗର ଅମାନୁଷିକ ଚେହେରା ସାମ୍ନାକୁ ଆସିଛି । ଜଣେ ନିରୀହ ବୃଦ୍ଧଙ୍କୁ ଭୁଲ୍ ବଶତଃ ଉଠାଇ ନେଇ ରାତିସାରା ନିର୍ଯାତନା ଦେବା ଭଳି ଏକ ସାଂଘାତିକ ଅଭିଯୋଗ ହୋଇଛି । ଘଟଣାଟି ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ କୁସୁମ ଖୁଣ୍ଟା ଗ୍ରାମରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
କୁସୁମ ଖୁଣ୍ଟା ଗ୍ରାମର ଜଳନ୍ଧର ବଗର୍ତ୍ତି ଗତ ୧୦ ତାରିଖ ଦିନ ଗାଈ ଚରାଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା । ଦୁଇଟି ବୋଲେରୋ ଗାଡ଼ିରେ ଆସିଥିବା କିଛି ବ୍ୟକ୍ତି ତାଙ୍କୁ ‘ହିଙ୍ଗୁଲ୍’ ବୋଲି ସନ୍ଦେହ କରି ପଚରାଉଚରା କରିଥିଲେ । ଜଳନ୍ଧର ନିଜକୁ ନିର୍ଦ୍ଦୋଷ ବୋଲି ଚିତ୍କାର କରି କହିଥିଲେ ମଧ୍ୟ ସେମାନେ ତାଙ୍କୁ ଜବରଦସ୍ତି ଉଠାଇ ନେଇଥିଲେ । ପରେ ଜଣାପଡ଼ିଥିଲା ଯେ ସେମାନେ ଛତିଶଗଡ଼ର ମେନ୍ପୁର ବନ ବିଭାଗର କର୍ମଚାରୀ ଥିଲେ ।
ଅଧିକ ପଢ଼ନ୍ତୁ : ସହରଠୁ ଗାଁ, ସବୁଠି ଲମ୍ବା ଲାଇନ୍; ଅଧିକାଂଶ ପେଟ୍ରୋଲ ପମ୍ପରେ ମିଳୁନି ତେଲ
ଜଳନ୍ଧରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ରାତିସାରା ଅତି ଅମାନୁଷିକ ଭାବେ ପିଟାଯାଇଥିଲା । ଦୁଇ ଜଣ ତାଙ୍କ ହାତ ଧରିଥିବା ବେଳେ ଜଣେ ବ୍ୟକ୍ତି ଦଣ୍ଡାରେ ତାଙ୍କ ଦେହ ସାରା ପ୍ରହାର କରିଥିଲେ । ଏତିକିରେ ବନ କର୍ମଚାରୀଙ୍କ ମନ ଶାନ୍ତି ହୋଇନଥିଲା; ତାଙ୍କୁ ଉଲଗ୍ନ କରି ମଧ୍ୟ ମାଡ଼ ମରାଯାଇଥିବା ସେ ପ୍ରକାଶ କରିଛନ୍ତି । ମାଡ଼ ଯୋଗୁଁ ତାଙ୍କ ପଛ ପଟ ଫୁଲି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ପରଦିନ ପୁଅ ମୋତିଲାଲ୍ ବଗର୍ତ୍ତି ମେନ୍ପୁର ଯାଇ ବୁଝାସୁଝା କରିବା ପରେ ବନ ବିଭାଗ ତାଙ୍କୁ ଛାଡ଼ିଥିଲା ।
ତେବେ ନ୍ୟାୟ ପାଇଁ ଜଳନ୍ଧର ସ୍ଥାନୀୟ ସମାଜସେବୀ ସୌଦାଗର ସାହୁଙ୍କ ସହ ଛତିଶଗଡ଼ ପୁଲିସ ନିକଟକୁ ଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ପୁଲିସ ଦିନ ସାରା ବସାଇ ରଖିବା ପରେ ‘ଏଠାରେ ଅଭିଯୋଗ ହୋଇପାରିବ ନାହିଁ’ କହି ଫେରାଇ ଦେଇଥିଲେ । ଅସହାୟ ଜଳନ୍ଧର ଶେଷରେ ବୋଡ଼େନ ଥାନାରେ ଦ୍ୱାରସ୍ଥ ହୋଇ ଏକ ମାମଲା ରୁଜୁ କରିଛନ୍ତି । ବୋଡ଼େନ ପୁଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।
English 




















































































































































































































