ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା; ସରକାରୀ କର୍ମଚାରୀଙ୍କ ପାଇଁ ଦୁଇ ଦିନ ୱର୍କ ଫ୍ରମ୍ ହୋମ୍ ବାଧ୍ୟତାମୂଳକ

କନକ ବ୍ୟୁରୋ : ତୈଳ ସଙ୍କଟ ଭିତରେ ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା । ସରକାରୀ କର୍ମଚାରୀଙ୍କ ପାଇଁ ଦୁଇ ଦିନ ୱର୍କ ଫ୍ରମ୍ ହୋମ୍ ବାଧ୍ୟତାମୂଳକ । ଘରୋଇ କମ୍ପାନିକୁ ବି ଦୁଇ ଦିନ ଘରୁ କାମ କରିବାକୁ ଦେଲେ ପରାମର୍ଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୈଳ ସଂରକ୍ଷଣ ଆହ୍ୱାନ କ୍ରମେ ଦିଲ୍ଲୀ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତାହକୁ ୨ ଦିନ ୱର୍କ ଫ୍ରମ୍ ହୋମ୍ ବାଧ୍ୟତାମୂଳକ କରିଛନ୍ତି ।
ଅଧିକ ପଢ଼ନ୍ତୁ : ସହରଠୁ ଗାଁ, ସବୁଠି ଲମ୍ବା ଲାଇନ୍; ଅଧିକାଂଶ ପେଟ୍ରୋଲ ପମ୍ପରେ ମିଳୁନି ତେଲ
ପଶ୍ଚିମ ଏସିଆ ସଙ୍କଟ କାରଣରୁ ଦେଶରେ ଉପୁଜିଥିବା ଶକ୍ତି ସଙ୍କଟ ଓ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ନୂତନ ନିୟମାବଳୀ ଘୋଷଣା କରିଛନ୍ତି । ସରକାରୀ କର୍ମଚାରୀମାନେ ସପ୍ତାହରେ ଦୁଇ ଦିନ ଘରୁ କାମ କରିବେ । ଘରୋଇ ସଂସ୍ଥାଗୁଡ଼ିକୁ ମଧ୍ୟ ସପ୍ତାହରେ ୨ ଦିନ ୱର୍କ ଫ୍ରମ୍ ହୋମ୍ ଲାଗୁ କରିବାକୁ ଆଡଭାଇଜରୀ ଜାରି କରାଯାଇଛି । ଏହାର ତଦାରଖ ଶ୍ରମ ବିଭାଗ କରିବ ।
ଟ୍ରାଫିକ ଜାମ୍ ଓ ତୈଳ ଖର୍ଚ୍ଚ କମାଇବା ପାଇଁ ସରକାରୀ କାର୍ୟ୍ୟାଳୟଗୁଡ଼ିକର ସମୟ ଅଲଗା ଅଲଗା କରାଯାଇଛି । ପ୍ରତ୍ୟେକ ସୋମବାର ଦିନ ସମସ୍ତ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀମାନେ କାର୍ ବଦଳରେ ମେଟ୍ରୋରେ ଯାତ୍ରା କରିବା ବାଧ୍ୟତାମୂଳକ । ସରକାରୀ ଅଧିକାରୀଙ୍କ ଗାଡ଼ି ପାଇଁ ମିଳୁଥିବା ମାସିକ ପେଟ୍ରୋଲ-ଡିଜେଲ କୋଟାକୁ ୨୦ ପ୍ରତିଶତ କମାଇ ଦିଆଯାଇଛି । ଆସନ୍ତା ବର୍ଷେ ପର୍ଯ୍ୟନ୍ତ ଦିଲ୍ଲୀର କୌଣସି ମନ୍ତ୍ରୀ ବା ସରକାରୀ ଅଧିକାରୀ ଅନାବଶ୍ୟକ ଭାବେ ବିଦେଶ ଗସ୍ତ କରିପାରିବେ ନାହିଁ ।
English 




















































































































































































































